ବିହାର: ବିହାର ରାଜଧାନୀ ପାଟନାର ପାରସ ହସ୍ପିଟାଲରେ ପଶି ଚନ୍ଦନ ମିଶ୍ରଙ୍କୁ ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ହତ୍ୟାକାଣ୍ଡକୁ ନେଇ ଆଉ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ହତ୍ୟା କରିଲା ପରେ ସୁଟର ମାନେ ସେଲିବ୍ରେସନ କରିଥିଲେ ଓ ବାଇକରେ ଚାଲିଯାଇଥିଲେ । ସେମାନଙ୍କର ଫଟୋ ମଧ୍ୟ ସାମ୍ନାକୁ ଆସିଛି।
ପାଞ୍ଚଜଣ ବନ୍ଧୁକଧାରୀ ହସ୍ପିଟାଲ ଭିତରେ ପଶି ପାରୋଲରେ ଥିବା ଅପରାଧୀ ଚନ୍ଦନ ମିଶ୍ରାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଚନ୍ଦନ ମିଶ୍ରାଙ୍କ ବିରୋଧରେ ଅନେକ ମାମଲା ରହିଛି । ତାଙ୍କୁ ଚିକିତ୍ସା ପାଇଁ ବେଉର ଜେଲରୁ ମେଡିକାଲ ପାରୋଲରେ ମୁକ୍ତ କରାଯାଇଥିଲା ଏବଂ ସେ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ସେ ଚିକିତ୍ସା ପାଇଁ ପାରୋଲରେ ଥିବା ବେଳେ ଶତ୍ରୁ ଗ୍ୟାଙ୍ଗର ସଦସ୍ୟମାନେ ଏହା ଜାଣି ପାରି ତାଙ୍କୁ ଟାର୍ଗେଟ କରି ଏହି ହମଲା କରିଛନ୍ତି । ହମଲା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶୁଟଆଉଟର ଲାଇଭ୍ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଅପରାଧୀମାନଙ୍କ ଫଟୋ କଏଦ ହୋଇଛି।
ସିସିଟିଭି ଭିଡିଓରେ ଅପରାଧୀ ଧରାପଡ଼ିଲା
ଏହି ସମ୍ପୂର୍ଣ୍ଣ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର କୁଖ୍ୟାତ ତୌସିଫ ବାଦଶାହ ରଚିଥିଲା। ସେ ପୂର୍ବରୁ ଅନେକ ଥର ଜେଲ୍ ଯାଇସାରିଛି। ଚନ୍ଦନ ମିଶ୍ରାଙ୍କ ପରିବାର ଲୋକେ ଅଭିଯୁକ୍ତଙ୍କ ପରିଚୟ ଦେଇଛନ୍ତି। ଚନ୍ଦନଙ୍କ ହତ୍ୟା ପାଇଁ ତୌସିଫଙ୍କୁ ଦାୟୀ କରିଛନ୍ତି । ଭିଡିଓରେ ମଧ୍ୟ ସବୁଠାରୁ ଆଗରେ ତୌସିଫଙ୍କୁ ଦେଖିବାକୁ ମିଳିଛି । ପ୍ରକୃତରେ, ତୌସିଫ ପଟନାର ଫୁଲୱାରୀର ବାସିନ୍ଦା। ଭିଡିଓରେ ଦେଖାଯାଇଛି ଯେ କୌଣସି ଅଭିଯୁକ୍ତ ମୁହଁକୁ ଘୋଡାଇନଥିଲେ। ଖୋଲାଖୋଲି ଏହି ହତ୍ୟା କରାଯାଇଛି।
ଚନ୍ଦନ ମିଶ୍ରାଙ୍କ ବିରୁଦ୍ଧରେ ଡଜନେରୁ ଅଧିକ ହତ୍ୟା ମାମଲା ରହିଛି । ତାଙ୍କୁ ପାଟନାର ପାରସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଗୁଳିମାଡ଼ ଘଟିଛି। ପୋଲିସ ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ଅଭିଯୁକ୍ତମାନେ ହସ୍ପିଟାଲରେ ପହଞ୍ଚିବା ପରେ ସୁରକ୍ଷା କର୍ମୀ ସେମାନଙ୍କୁ ଜରୁରୀକାଳୀନ ଗେଟରେ ଅଟକାଇଥିଲେ। ଗାର୍ଡ ସେମାନଙ୍କୁ ଗେଟ ପାସ୍ ମାଗିଥିଲେ। ସେମାନଙ୍କ ପାଖରେ ଗେଟ ପାସ୍ ନଥିବାରୁ ଅଭିଯୁକ୍ତମାନେ ଓପିଡି ଦେଇ ପ୍ରବେଶ କରିଥିଲେ। ଏହା ପରେ, ଗୁଳି ଚଳାଇଥିବା ଲୋକମାନେ ସିଧାସଳଖ ରୁମ୍ ନମ୍ବର ୨୦୯ ରେ ପହଞ୍ଚିଥିଲେ। ତା'ପରେ ସେମାନେ ଚନ୍ଦନ ମିଶ୍ରଙ୍କ ଉପରେ ଗୁଳି ଚଳାଇ ତାଙ୍କୁ ହତ୍ୟା କରିଥିଲେ।