ନୂଆଦିଲ୍ଲୀ: ବେଲଜିୟମର ଏକ ଅଦାଲତ ପଳାତକ ହୀରା ବ୍ୟବସାୟୀ ତଥା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲାର ଅଭିଯୁକ୍ତ ମେହୁଲ ଚୋକସିଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଅନୁମତି ଦେଇଛନ୍ତି । ଅଦାଲତ ନିଜ ନିଷ୍ପତ୍ତିରେ କହିଛନ୍ତି, ଚୋକସିଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟାରେ କୌଣସି ଆଇନଗତ ବାଧା ନାହିଁ । ତାଙ୍କୁ ଭାରତ ପଠାଇବାରେ କୌଣସି ଆପତ୍ତି ନାହିଁ । କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ମେହୁଲ ଚୋକସି ମାମଲାରେ ଭାରତର ବଡ ବିଜୟ ବୋଲି କୁହାଯାଉଛି । ଅଦାଲତ ଏପ୍ରିଲରେ ବେଲଜିୟମ ଅଧିକାରୀଙ୍କ ଦ୍ୱାରା ଚୋକସିଙ୍କ ଗିରଫଦାରୀକୁ ବୈଧ୍ୟ ଦର୍ଶାଇଛନ୍ତି ।
ଅଦାଲତ କହିଛନ୍ତି, ମେହୁଲ ଚୋକସି ବେଲଜିୟମର ନାଗରିକ ନୁହନ୍ତି ବରଂ ସେ ଜଣେ ବିଦେଶୀ ନାଗରିକ । ତାଙ୍କ ଉପରେ ଏମିତି ଗମ୍ଭୀର ଅଭିଯୋଗ ରହିଛି ଯେ, ତାଙ୍କ ପ୍ରତ୍ୟର୍ପଣ ଉଚିତ୍ ରହିଛି । ତାଙ୍କ ନାଁରେ ଯେଉଁ ସବୁ ଅଭିଯୋଗ ରହିଛି ତାହା ବେଲଜିୟମ ଦଣ୍ଡ ସଂହିତାର ଅନେକ ଧାରା ଆଧାରରେ ଗମ୍ଭୀର ଅପରାଧ ।
ତେବେ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ଭାରତର ଗୋଟିଏ ଅଭିଯୋଗ ପ୍ରମାଣ ନଷ୍ଟ କରିବାକୁ ବେଲଜିୟମ ଆଇନରେ ଏହାକୁ ଅପରାଧ ଭାବେ ବିବେଚନା କରାଯାଏ ନାହିଁ । ଅନ୍ୟପଟେ ମେହୁଲ ଚୋକସି ଅଦାଲତରେ ଦାବି କରିଥିଲେ ଯେ, ତାଙ୍କୁ ଆଣ୍ଟିଗୁଆରୁ ଅପହରଣ କରାଯାଇ ବେଲଜିୟମ ଅଣା ଯାଇଥିଲା । ଭାରତରେ ତାଙ୍କ ପ୍ରତି ରାଜନୈତିକ ପ୍ରତାଡନା ଓ ଅମାନବୀୟ ବ୍ୟବହାରର ବିପଦ ରହିଛି । ତେବେ ଅଦାଲତ ତାଙ୍କର ଏହି ଯୁକ୍ତିକୁ ଗ୍ରହଣ କରି ନ ଥିଲେ ।
ଭାରତ ଦ୍ୱାରା ବେଲଜିୟମ ଅଦାଲତରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ମେହୁଲ ଚୋକସିଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲର ବ୍ୟାରେକ ନମ୍ବର ୧୨ରେ ରଖାଯିବ । ଏଥିରେ ଦୁଇଟି ସେଲ୍ ଏବଂ ଗୋଟିଏ ବ୍ୟକ୍ତି ଶୌଚାଳୟ ରହିଛି । ଭାରତ ଆଶ୍ୱାସନ ଦେଇଛି ଯେ, କେବଳ ଚିକିତ୍ସାର ଆବଶ୍ୟକତା ଓ ଅଦାଲତରେ ହାଜର ପାଇଁ ମେହୁଲଙ୍କୁ ଜେଲ୍ ବାହାରକୁ ଅଣାଯିବ ।
Also read: ଟ୍ରମ୍ପଙ୍କ ଦକ୍ଷିଣ କୋରିଆ ଗସ୍ତ ପୂର୍ବରୁ ୫ ମାସ ମଧ୍ୟରେ ପ୍ରଥମ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର କୋରିଆ