ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଯାଉଥିବା ବାୟୁସେନା ହେଲିକପ୍ଟର୍ ଅସ୍ଥାୟୀ ହେଲିପ୍ୟାଡରେ ଫସିଯାଇଛି । ବୁଧବାର ସକାଳେ କେରଳର ପଥନାମଥିଟ୍ଟା ନିକଟସ୍ଥ ପ୍ରମଦମରେ ଥିବା ଅସ୍ଥାୟୀ ହେଲିପ୍ୟାଡରେ ଚପ୍ପର୍ ଫସିଯାଇଛି । ରାଷ୍ଟ୍ରପତି ଏହା ପୂର୍ବରୁ ହେଲକପ୍ଟରରୁ ଓହ୍ଲାଇ ଯାଇଥିଲେ ।
ରାଷ୍ଟ୍ରପତି ମୁର୍ମୁ ୪ ଦିନିଆ କେରଳ ଗସ୍ତରେ ଅଛନ୍ତି । ଆଜି ସକାଳେ ରାଷ୍ଟ୍ରପତି ସାବରୀମାଳା ଆୟାପ୍ପା ମନ୍ଦିର ଦର୍ଶନ କାର୍ଯ୍ୟକ୍ରମ ଥିଲା । ମନ୍ଦିର ଯିବା ସକାଳ ପ୍ରାୟ ୯ଟା ୫ମିନିଟ୍ ସମୟରେ ରାଷ୍ଟ୍ରପତି ପଥନାମଥିଟ୍ଟା ନିକଟସ୍ଥ ପ୍ରମଦମ ଇଣ୍ଡୋର୍ ଷ୍ଟାଡିୟମରେ ନିର୍ମାଣ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ । ଏହା ପରେ ଚପ୍ପରଟି ଉଡ଼ାଣ ଭରୁଥିବା ସମୟରେ କଂକ୍ରିଟ୍ ହେଲିପ୍ୟାଡରେ ଅଟକି ଯାଇଥିଲା । ପୋଲିସ କର୍ମୀ, ଅଗ୍ନିଶମ ବାହିନୀ ଏବଂ ଅନ୍ୟାନ୍ୟ ସୁରକ୍ଷାକର୍ମୀ ହେଲିକେପ୍ଟରକୁ ବାହାର କରିବାକୁ ଚେଷ୍ଟା କରିଥିଲେ । ତେବେ ରାଷ୍ଟ୍ରପତିଙ୍କ ଗସ୍ତରେ କୌଣସି ପ୍ରଭାବ ପଡ଼ି ନାହିଁ । ରାଷ୍ଟ୍ରପତି ମୁର୍ମୁ ଅବିଳମ୍ବେ ସେଠାରୁ କାରରେ ଯୋଗେ ମନ୍ଦିର ଯାଇଥିଲେ ।
ମିଳିଥିବା ସୂଚନା ମୁତାବକ, ପ୍ରଥମେ ରାଷ୍ଟ୍ରପତି ନିଲକାଲରେ ଅବତରଣ କରିବେ ବୋଲି କାର୍ଯ୍ୟକ୍ରମ ଥିଲା । ମାତ୍ର ଖରାପ ପାଣିପାଗ ଯୋଗୁଁ ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଥିଲା । ପ୍ରମଦମ ଇଣ୍ଡୋର୍ ଷ୍ଟାଡିୟମରେ ରାଷ୍ଟ୍ରପତି ପହଁଚିବାର ମାତ୍ର କେଇ ଘଣ୍ଟା ପୂର୍ବରୁ କଂକ୍ରିଟ୍ ହେଲିପ୍ୟାଡ୍ ନିର୍ମାଣ କରାଯାଇଥିଲା। କଂକ୍ରିଟ୍ ଭଲଭାବେ ଶୁଖିନଥିବାରୁ ଚପ୍ପର୍ ଚକ୍କା ସେଥିରେ ଅଟକି ଯାଇଥିବା କୁହାଯାଉଛି ।