ବହରାଇଚ: ଉତ୍ତର ପ୍ରଦେଶର ବହରାଇଚରେ ୨୦୨୪ ଅକ୍ଟୋବର ୧୩ରେ ଘଟିଥିବା ସାଂପ୍ରଦାୟିକ ହିଂସା ମାମଲାରେ କୋର୍ଟ ରାୟ ଦେଇଛନ୍ତି। ମାମଲାରେ ମୁଖ୍ୟ ଅଭିଯୁକ୍ତ ଦୋଷୀ ସରଫରାଜକୁ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି।ମୋଟ୍ ୧୩ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। କିନ୍ତୁ ପ୍ରମାଣ ଅଭାବରୁ ତିନି ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି।
ବହରାଇଚ ଜିଲ୍ଲାର ହରଦୀ ଥାନା ଅନ୍ତର୍ଗତ ମହାରାଜଗଞ୍ଜ ଅଞ୍ଚଳରେ ଘଟଣା ଘଟିଥିଲା। ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ରାମ ଗୋପାଳ ମିଶ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ହତ୍ୟା ପରେ ଅଞ୍ଚଳରେ ହିଂସା ଘଟିବା ସହ ଜଳାପୋଡ଼ା ଓ ଭଙ୍ଗାରୁଜା ହୋଇଥିଲା। ହିଂସାକୁ ଆୟତ୍ତ କରିବା ପାଇଁ ଅନେକ ଦିନ ଧରି ଇଣ୍ଟରନେଟ୍ ଉପରେ ରୋକ୍ ଲଗାଯାଇଥିଲା।
ଜିଲ୍ଲା ସେସନ କୋର୍ଟର ଜିଲ୍ଲା ପ୍ରଥମ ଜଜ୍ ପବନ କୁମାର ଶର୍ମା ଦ୍ଵିତୀୟ ୧୩ ମାସ ୨୬ ଦିନ ପର୍ଯ୍ୟନ୍ତ ଚାଲିଥିବା ଶୁଣାଣି ପରେ ନିଷ୍ପତ୍ତି ଶୁଣାଇଛନ୍ତି। ଅଦାଲତ ୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ତିନି ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଶୁଣାଣି ସମୟରେ ସମସ୍ତ ପ୍ରମାଣ ଓ ସାକ୍ଷ୍ୟକୁ ଆଧାର କରି କୋର୍ଟ ଏହି ସଜା ଶୁଣାଇଛନ୍ତି।
କୋର୍ଟଙ୍କ ରାୟ ଆସିବା ପରେ ମୃତକ ରାମଗୋପାଳ ମିଶ୍ରଙ୍କ ପରିବାରକୁ ନ୍ୟାୟ ମିଳିଛି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଦୋଷୀଙ୍କୁ କଠୋର ଦଣ୍ଡ ନେଇ ନ୍ୟାୟ ସୁନିଶ୍ଚିତ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ସରଫରାଜକୁ ଫାଶି ଓ ଅନ୍ୟ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ। ଶୁଣାଣି ସମୟରେ ପ୍ରଶାସନ ପକ୍ଷରୁ କୋର୍ଟ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଛି।
Also read: ଦିଲ୍ଲୀ ଦଙ୍ଗାର ଅଭିଯୁକ୍ତ ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ, ଭଉଣୀ ବିବାହରେ ହେବେ ସାମିଲ୍