ନୂଆଦିଲ୍ଲୀ: ବିଜେପି ଓ ଏଆଇଏଡିଏମକେ ମଧ୍ୟରେ ମେଣ୍ଟ ହେବା ପରେ ବଦଳିଗଲା ରାଜ୍ୟସଭାରର ଚିତ୍ର । ଏବେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ରାଜ୍ୟସଭାରେ ମନୋନୀତ ସଦସ୍ୟଙ୍କ ବିନା ମଧ୍ୟ ସଂଖ୍ୟା ଗରିଷ୍ଠତା ସୁନିଶ୍ଚିତ କରି ନେଇଛି । ଆଉ ଏହି ବଡ ପରିବର୍ତ୍ତନ ଗୋଟିଏ ଦିନ ପୂର୍ବେ ଏଆଇଏଡିଏମକେ ସହ ମେଣ୍ଟ ପରେ ହୋଇଛି । ବିଜେପି ଓ ଏଆଇଏଡିଏମକେର ଏହି ମେଣ୍ଟ ଯୋଗୁଁ ସଂସଦର ଉଚ୍ଚସଦନରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ଏଆଇଏଡିଏମକେର ଚାରି ସାଂସଦଙ୍କ ସମର୍ଥନରେ ଏନଡିଏର ଶକ୍ତି ବୃଦ୍ଧି ପାଇଛି । ଅନ୍ୟପଟେ ବିରୋଧୀଙ୍କ ଶକ୍ତି ଦୁର୍ବଳ ହୋଇଛି । ରୋଚକ କଥା ଏହା ଯେବେ କେନ୍ଦ୍ର ସରକାର ରାଜ୍ୟସଭାରେ ୱାକଫ ସଂଶୋଧନ ବିଧେୟକ ଗୃହରେ ଉପସ୍ଥାପନ କଲେ, ସେହି ସମୟରେ ଏଆଇଏଡିଏମକେର ଏହା ବିରୋଧରେ ଭୋଟ୍ ଦେଇଥିଲା ।
ବର୍ତ୍ତମାନ ରାଜ୍ୟସଭାରେ ମୋଟ୍ ୨୩୬ ସଦସ୍ୟ ଅଛନ୍ତି । ଏଥିରୁ ୯ଟି ସିଟ୍ ଖାଲି ରହିଛି । ରାଜ୍ୟସଭାରେ ଏନଡିଏର ୧୧୯ ସଦସ୍ୟ ରହିଛନ୍ତି । ଏଥିରୁ ହରିୟାଣାର ସ୍ୱାଧୀନ ସାଂସଦ କାର୍ତ୍ତିକେୟ ଶର୍ମା ରହିଛନ୍ତି, ଯିଏ ବିଜେପି ସମର୍ଥନରେ ନିର୍ବାଚନ ଜିତିଥିଲେ । ଆଉ ଏବେ ଏଆଇଏଡିଏମକେର ଚାରି ସାଂସଦଙ୍କ ସମର୍ଥନ ସହିତ ବିଜେପି ନେତୃତ୍ୱାଧୀନ ଏନଡିଏର ସଂଖ୍ୟା ବଢି ୧୨୩ରେ ପହଞ୍ଚିିଛି । ଯେବେ ଗୃହରେ ନିଜର ପୂର୍ଣ୍ଣ ସଦସ୍ୟତା ୨୪୫ରେ ପହଞ୍ଚିବ, ତେବେ ବି ଏନଡିଏ ନିକଟରେ ବହୁମତ ରହିବ ।
ଏହା ବ୍ୟତୀତ ଏନଡିଏକୁ ଛଅ ମନୋନୀତ ସଦସ୍ୟଙ୍କ ମଧ୍ୟ ସମର୍ଥନ ରହିଛି । ଏଥିରେ ବିଜେପିର ରାଜ୍ୟସଭାରେ ସଂଖ୍ୟା ବଳ ଆହୁରି ବୃଦ୍ଧି ଘଟିଛି । ସ୍ୱାଭାବିକ ଭାବେ ଯେଉଁ ପାର୍ଟି ସମର୍ଥନରେ ମନୋନୀତ ସଦସ୍ୟ ଭାବେ ରାଜ୍ୟସଭାକୁ ଯାଇଥାନ୍ତି ସେମାନେ ସେମାନଙ୍କ ପକ୍ଷରେ ଭୋଟ୍ ଦେଇଥାନ୍ତି । ଏମିତି ହେଲେ ଏନଡିଏର ପ୍ରଭାବୀ ସଦସ୍ୟ ସଂଖ୍ୟା ୧୨୯ରେ ପହଞ୍ଚୁଛି ।
ସୂଚନାଯୋଗ୍ୟ, ବିଜେପି ପାଖରେ ରାଜ୍ୟସଭାର ୯୮ ସଦସ୍ୟ ରହିଛନ୍ତି, ଯେଉଁଥିରେ ଦୁଇ ନାମାଙ୍କିତ ସଦସ୍ୟ ରହିଛନ୍ତି । ଅନ୍ୟ ଏନଡିଏ ସହଯୋଗୀରେ ଜେଡିୟୁର ୪ ସଦସ୍ୟ, ଏନସିପିର ୩, ଟିଡିପିର ୨, ଶିବସେନା, ଏଜିପି, ପିଏମକେ, ଆରଏଲଡି, ଆରଏଲଏମ, ତାମିଲ ମାନିଲା କଂଗ୍ରେସ, ଏନପିପି, ଜେଡିଏସ, ଆରପିଆଇ, ୟୁପିପିଏଲ ଓ ଏମଏନଏଫର ଜଣେ ଲେଖାଏଁ ସଦସ୍ୟ ରହିଛନ୍ତି ।