ନୂଆଦିଲ୍ଲୀ: ସଂସଦର ସ୍ଵତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ମହିଳା ସଂରକ୍ଷଣ ଏବଂ ସୀମା ନିର୍ଦ୍ଧାରଣ ଉପରେ ଖୁବ୍ ଆଲୋଚନା ହୋଇଛି। ଏହି ସମୟରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଦକ୍ଷିଣ ରାଜ୍ୟଗୁଡ଼ିକରେ ଲୋକସଭା ଆସନ ସଂଖ୍ୟା ହାରାହାରି ପୂର୍ବାଅପେକ୍ଷା ଅଧିକ ବୃଦ୍ଧି ପାଇବ।
ଶାହ କହିଛନ୍ତି ଯେ କେରଳ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଏବଂ କର୍ଣ୍ଣାଟକ ସମେତ ସମସ୍ତ ଦକ୍ଷିଣ ରାଜ୍ୟଗୁଡ଼ିକରେ ଆସନ ବୃଦ୍ଧି ପାଇବ। କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଜୋର ଦେଇ କହିଛନ୍ତି, ବିଲ୍ ଦକ୍ଷିଣ ରାଜ୍ୟଗୁଡ଼ିକର ଶକ୍ତିକୁ ହ୍ରାସ କରିବ ନାହିଁ। କେନ୍ଦ୍ର ଗୃହମନ୍ତ୍ରୀ ଲୋକସଭାରେ ଏହା ମଧ୍ୟ କହିଛନ୍ତି ଯେ ମହିଳା ସଂରକ୍ଷଣ ବିଲ୍ ସମ୍ପର୍କରେ ଭ୍ରମ ସୃଷ୍ଟି କରାଯାଉଛି।
ଅମିତ ଶାହ କହିଛନ୍ତି , ଏହି ବିଲ୍ କୌଣସି ରାଜ୍ୟକୁ କ୍ଷତି ପହଞ୍ଚାଇବ ନାହିଁ। କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଆସନ ହ୍ରାସ ପାଇବ ନାହିଁ। ତେଲେଙ୍ଗାନାର ଲୋକସଭା ସିଟ୍ ୧୭ ରୁ ୨୬କୁ ଏବଂ କର୍ଣ୍ଣାଟକର ଆସନ ୨୮ ରୁ ୪୨ କୁ ବୃଦ୍ଧି ପାଇବ। ସେହିପରି ତାମିଲନାଡୁର ଲୋକସଭା ଆସନ ୩୯ ରୁ ୫୯କୁ ବୃଦ୍ଧି ପାଇବ। ଶାହଙ୍କ ଉତ୍ତର ପୂର୍ବରୁ ସରକାର ଲୋକସଭାରେ ମହିଳା ସଂରକ୍ଷଣ ବିଲ୍, ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍, କେନ୍ଦ୍ରଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଲ୍ ଏବଂ ସୀମା ନିର୍ଦ୍ଧାରଣ ବିଲ୍ ଆଗତ କରିଥିଲେ।
ସୀମା ନିର୍ଦ୍ଧାରଣ ବିଷୟରେ ବିରୋଧୀଙ୍କ କ’ଣ ଚିନ୍ତା ?
ବିରୋଧୀଙ୍କ ଅଭିଯୋଗ ହେଉଛି ଯେ ୨୦୧୧ ଜନଗଣନା ତଥ୍ୟ ଆଧାରରେ ସୀମା ନିର୍ଦ୍ଧାରଣ, ଦକ୍ଷିଣ ରାଜ୍ୟଗୁଡ଼ିକୁ ସଂସଦରେ କୋଣଠେସା କରିବ। ହିନ୍ଦୀ ହାର୍ଟଲ୍ୟାଣ୍ଡକୁ ଡ୍ରାଇଭିଙ୍ଗ୍ ସିଟରେ ରଖିବ। ଏହା ସଂଘୀୟତାର ନୀତି ବିରୁଦ୍ଧରେ, ଯେଉଁଠାରେ ପ୍ରତ୍ୟେକ ରାଜ୍ୟକୁ ସଂସଦରେ ସମାନ ଗୁରୁତ୍ୱ ଏବଂ ପ୍ରତିନିଧିତ୍ଵ ମିଳିବା ଉଚିତ।ହେଲେ ସରକାର ଏପରି ସମ୍ଭାବନାକୁ ଅସ୍ୱୀକାର କରିଛନ୍ତି ଏବଂ କହିଛନ୍ତି ଯେ ଆସନରେ ୫୦% ବୃଦ୍ଧି ଯୋଜନା ସବୁ ରାଜ୍ୟ ଉପରେ ଲାଗୁ ହେବ। ଏହା ଦ୍ଵାରା ଦକ୍ଷିଣ ଭାରତର ପ୍ରତ୍ୟେକ ରାଜ୍ୟକୁ ଅଧିକ ଆସନ ମିଳିବ।
ଅମିତ ଶାହ ବୁଝାଇ ଦେଲେ ସମୀକରଣ
ଉଦାହରଣ ଦେଇ ଅମିତ ଶାହ କହିଛନ୍ତି ଯେ ତାମିଲନାଡୁ ୨୦ଟି ଅଧିକ ଆସନ, କେରଳ ୧୦ଟି, ତେଲେଙ୍ଗାନା ୯ଟି ଏବଂ ଆନ୍ଧ୍ର ପ୍ରଦେଶ ୧୩ଟି ଅଧିକ ଆସନ ପାଇବ। ଉତ୍ତର ପ୍ରଦେଶ ପରେ ଲୋକସଭାରେ ଦ୍ଵିତୀୟ ସର୍ବାଧିକ ସାଂସଦ ଥିବା ମହାରାଷ୍ଟ୍ରକୁ ୨୪ଟି ଅଧିକ ଆସନ ମିଳିବ। ମହିଳା ସଂରକ୍ଷଣ କାର୍ଯ୍ୟକାରୀ କରିବା ପାଇଁ, ସରକାର ୨୦୧୧ ତଥ୍ୟ ଆଧାରରେ ସୀମା ନିର୍ଦ୍ଧାରଣ କରିବାକୁ ଯୋଜନା କରିଛନ୍ତି। ଏହା ଏହି ସଂଖ୍ୟାକୁ ୫୦ ପ୍ରତିଶତ ବୃଦ୍ଧି କରି ଲୋକସଭାରେ ମୋଟ ସଂଖ୍ୟା ୮୫୦ କରିବାକୁ ଯୋଜନା କରିଛନ୍ତି।