ମୁମ୍ବାଇ: ଭାରତୀୟ ବିଜ୍ଞାପନ ଜଗତ ଏକ ବଡ଼ ଝଟକା ପାଇଛି। ବିଜ୍ଞାପନ ଗୁରୁ ଭାବରେ ଜଣାଶୁଣା ପୀୟୁଷ ପାଣ୍ଡେଙ୍କର ୭୦ ବର୍ଷ ବୟସରେ ମୁମ୍ବାଇରେ ଦେହାନ୍ତ ହୋଇଛି। ସେ ‘ଅବକି ବାର ମୋଦୀ ସରକାର’ ଏବଂ ‘ଥଣ୍ଡା ମତଲବ କୋକା-କୋଲା’ ସମେତ ଅନେକ ପ୍ରସିଦ୍ଧ ବିଜ୍ଞାପନ ଲେଖିଥିଲେ। ତାଙ୍କର ଜନ୍ମ ରାଜସ୍ଥାନର ଜୟପୁରରେ ହୋଇଥିଲା। ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।
ପୀୟୁଷ ପାଣ୍ଡେଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଶୋକ ପ୍ରକାଶ କରିଛନ୍ତି। ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ପଦ୍ମଶ୍ରୀ ପୀୟୁଷ ପାଣ୍ଡେଙ୍କ ବିୟୋଗରେ ମୋର ଦୁଃଖ ପ୍ରକାଶ କରିବା ପାଇଁ ମୁଁ ଶବ୍ଦ ହରାଇ ବସିଛି। ବିଜ୍ଞାପନ ଜଗତର ଜଣେ ଅସାଧାରଣ ବ୍ୟକ୍ତିତ୍ୱ, ତାଙ୍କର ସୃଜନଶୀଳ ପ୍ରତିଭା କାହାଣୀ କହିବାର କଳାକୁ ପୁନଃ ପରିଭାଷିତ କରିଥିଲା ଏବଂ ଆମକୁ ଅବିସ୍ମରଣୀୟ କାହାଣୀ ଦେଇଥିଲା। ମୋ ପାଇଁ, ସେ ଜଣେ ବନ୍ଧୁ ଥିଲେ ଯାହାଙ୍କ ପ୍ରତିଭା ତାଙ୍କ ସତ୍ୟତା, ଉଷ୍ମତା ଏବଂ ବୁଦ୍ଧି ମାଧ୍ୟମରେ ଝଲସୁଥିଲା। ମୁଁ ସର୍ବଦା ଆମର ଆକର୍ଷଣୀୟ ଆଲୋଚନାକୁ ସ୍ମରଣ କରିବି। ସେ ଏକ ଗଭୀର ଶୂନ୍ୟସ୍ଥାନ ଛାଡି ଯାଇଛନ୍ତି ଯାହାକୁ ପୂରଣ କରିବା କଷ୍ଟକର ହେବ। ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି।
ଫିଲ୍ ମେକର ହଂସଲ ମେହେତାଙ୍କ ସମେତ ଅନେକ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ପୀୟୁଷ ପାଣ୍ଡେଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ହଂସଲ ମେହେଟା ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ଫେଭିକଲ୍ ସନ୍ଧି ଭାଙ୍ଗି ଯାଇଛି। ଆଜି ବିଜ୍ଞାପନ ଜଗତ ତାର ଅଠା ହରାଇଛି।’
ସୂଚନାଯୋଗ୍ୟ, ପୀୟୁଷ ୨୭ବର୍ଷ ବୟସରେ ବିଜ୍ଞାପନ ଜଗତରେ ପ୍ରବେଶ କରିଥିଲେ। ସେ ତାଙ୍କ ଭାଇ ପ୍ରସୂନ ପାଣ୍ଡେଙ୍କ ସହିତ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ଉଭୟ ରେଡିଓ ଜିଙ୍ଗଲ୍ସ ପାଇଁ କଣ୍ଠସ୍ୱର ପ୍ରଦାନ କରୁଥିଲେ। ସେ ୧୯୮୨ ମସିହାରେ ବିଜ୍ଞାପନ କମ୍ପାନୀ ଓଗିଲଭି ସହିତ କାମ କରିବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ୧୯୯୪ ମସିହାରେ ଓଗିଲଭିର ବୋର୍ଡକୁ ମନୋନୀତ କରାଯାଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତାଙ୍କୁ ୨୦୧୬ ମସିହାରେ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
ଅଧିକ ପଢ଼ନ୍ତୁ: ପାକିସ୍ତାନର ପାଣି ବନ୍ଦ କରିବ ଆଫଗାନିସ୍ତାନ