ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଆରମ୍ଭ ହୋଇଥିବା ଅମର ଯାତ୍ରାରେ ପ୍ରବଳ ମାତ୍ରାରେ ଶ୍ରଦ୍ଧାଳୁ ଆଗମନ ହେଉଛି । ରାମବନ ଜିଲ୍ଲାରେ ଶନିବାର ଏକ ବଡ଼ ଦୁର୍ଘଟଣା ଘଟିଯାଇଛି । ରାସ୍ତାର ବିଶ୍ରାମ ନେବା ପାଇଁ ଅଟକି ଥିବା ଅମର ନାଥ ଶ୍ରଦ୍ଧାଳୁଙ୍କୁ ଏକ ବସ୍ ଧକ୍କା ଦେଇଛି । ଫଳରେ ଅତିକମରେ ୩୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ଅମର ନାଥ ଶ୍ରଦ୍ଧାଳୁଙ୍କ ବସ୍ ରାମବନ ଜିଲ୍ଲା ଚନ୍ଦ୍ରକୋଟ ବିଶ୍ରାମ ସ୍ଥଳୀରେ ଅଟକି ଥିଲା । ସମସ୍ତେ ସେଠାରେ ଭୋଜନ ଗ୍ରହଣ କରିଥାଆନ୍ତେ । ଏହି ସମୟରେ ଆଉ ଏକ ତୀର୍ଥ ଯାତ୍ରୀ ବସ୍ ନିୟନ୍ତ୍ରଣ ହରାଇ ଠିଆ ହୋଇଥିବା ବସଗୁଡ଼ିକକୁ ଧକ୍କା ଦେଇଥିଲା । ଏହା ଦ୍ୱାର ଗୋଟିଏ ପରେ ଗୋଟିଏ ପ୍ରାୟ ୪ଟି ବସ ପରସ୍ପର ସହ ଧକ୍କା ହୋଇଥିଲା । ଫଳରେ ପ୍ରାୟ ୩୬ ଜଣ ତୀର୍ଥଯାତ୍ରୀ ଆହତ ହୋଇଥିବା ରାମବନ ଏସ୍ଏସପି କୁଲବୀର ସିଂ ସୂଚନା ଦେଇଛନ୍ତି ।
ତୁରନ୍ତ ପୋଲିସ କର୍ମଚାରୀ ସମସ୍ତଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଅଧିକାଂଶ ଶ୍ରଦ୍ଧାଳୁ ପ୍ରାଥମିକ ଚିକିତ୍ସା ପରେ ପୁନର୍ବାର ଯାତ୍ରା ଆରମ୍ଭ କରିଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟ ୩-୪ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଅଛି । ସେମାନେ ବର୍ତ୍ତମାନ ଚିକିତ୍ସାଧୀନ ଥିବାବେଳେ ଯାତ୍ରା ପାଇଁ ଆଉ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ଏସଏସପି କହିଛନ୍ତି ।