ବୈଦେଶିକ ମୁଦ୍ରା ବିନିମୟ ଆଇନ ଉଲ୍ଲଘଂନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର (ED) ରେଡ୍ ମିଳିଛି ବଡ଼ ସଫଳତା। ଚଢଉ ବେଳେ ୱାସିଂ ମେସିନ ଭିତରୁ EDକୁ ମିଳିଛି କୋଟି କୋଟି ଟଙ୍କା। ମିଳିଥିବା ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ED ପକ୍ଷରୁ କେତେକ ସଂସ୍ଥା ଉପରେ ଚଢଉ କରାଯାଇଥିଲା। ତେବେ ଏହି ଚଢଉ ସମୟରେ ୨.୫୪ କୋଟି ଟଙ୍କାର ନଗଦ ଅର୍ଥ ଜବତ ହୋଇଛିଥିବା ସୂଚନା ମିଳିଛି।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅଫିସିଆଲ "X" ହ୍ୟାଣ୍ଡେଲରେ ଏହାର ଫଟୋ ପୋଷ୍ଟ ହୋଇଛି। ଫଟୋରେ ଏକ ୱାସିଂ ମେସିନ ଭିତରେ ବିଡା ବିଡା ନୋଟ ପଶିଥିବାର ଦେଖିବାକୁ ମିଳିଛି। ଏହି ଚଢ଼ଉ ସମୟରେ କେତେକ ଅପରାଧିକ ଦଲିଲ ଏବଂ ଡିଜିଟାଲ ଉପକରଣ ମଧ୍ୟ ଜବତ କରାଯାଇଛି। ସଂସ୍ଥାଗୁଡ଼ିକର ମୋଟ ୪୭ଟି ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଫ୍ରିଜ୍ ହୋଇଛି ବୋଲି ଇଡି ପକ୍ଷରୁ ସୂଚନା ଦିଆଯାଇଛି।
ଇଡି ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଦିଲ୍ଲୀ, ହାଇଦ୍ରାବାଦ, ମୁମ୍ବାଇ, କୋଲକାତା ଏବଂ ହରିଆନାର କୁରୁକ୍ଷେତ୍ରର ବିଭିନ୍ନ ସ୍ଥାନରେ ଏହି ଚଢଉ କରାଯାଇଥିଲା। କେପ୍ରିକୋରିନିଅନ୍ ସିପିଂ ଏବଂ ଲଜିଷ୍ଟିକ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଏହାର ନିର୍ଦ୍ଦେଶକ ବିଜୟ କୁମାର ଶୁକ୍ଲା ଏବଂ ସଞ୍ଜୟ ଗୋସ୍ବାମୀ ଏବଂ ସଂପୃକ୍ତ ସଂସ୍ଥା ଲକ୍ଷ୍ମୀନ୍ ମାରିଟାଇମ୍, ରାଜନନ୍ଦିନୀ ମେଟାଲ୍ସ ଲିମିଟେଡ୍,ହିନ୍ଦୁସ୍ତାନ ଇଣ୍ଟରନ୍ୟାସନାଲ୍, ଭାଗନଗର ଷ୍ଟିଲ୍ ଲିମିଟେଡ୍, ଷ୍ଟିୱାର୍ଟ ଆଲୋଇସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍, ବୈଷ୍ଣବ କନଷ୍ଟ୍ରକସନ୍ ଏବଂ ସେମାନଙ୍କର ନିର୍ଦ୍ଦେଶକ ତଥା ସହଯୋଗୀ ବିନୋଦ କେଡିଆ, ସନ୍ଦୀପ ଗର୍ଗ ଏବଂ ଅନ୍ୟକିଛି ଅଧିକାରୀ ମାନଙ୍କ ଘରେ ଚଢଉ କରାଯାଇଥିଲା।
ତେବେ ED ଦ୍ୱାରା ଉଦ୍ଧାର ହୋଇଥିବା ନଗଦ ଟଙ୍କା ଏକ ୱାସିଂ ମେସିନରେ ରଖାଯାଇଥିବା ବେଳେ ଅନ୍ୟ କୌଣସି ଅଧିକ ତଥ୍ୟ ଉଲ୍ଲେଖ କରାଯାଇ ନାହିଁ। ତେବେ ସଂସ୍ଥାଗୁଡ଼ିକ ଭାରତ ବାହାରକୁ ବୈଦେଶିକ ମୁଦ୍ରା ପଠାଇବାରେ ସମ୍ପୃକ୍ତ ଥିଲେ। ଏହି ସଂସ୍ଥା ସିଙ୍ଗାପୁରର ଗ୍ୟାଲେକ୍ସି ସିପିଂ ଆଣ୍ଡ ଲଜିଷ୍ଟିକ ଏବଂ ହୋରିଜୋନ ସିପିଂ ଆଣ୍ଡ ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡକୁ ପ୍ରାୟ ୧୮୦୦ କୋଟି ଟଙ୍କା ପଠାଇଥିବା ସୂଚନା ପାଇ ଇଡି ରେଡ୍ କରିଥିଲା। ଏଥିରେ ୨.୫୪ କୋଟି ଜବତ ହୋଇଥିବା ବେଳେ ସେଥିମଧ୍ୟରୁ ଅନେକ ଟଙ୍କା ଏକ ୱାସିଂ ମେସିନି ଭିତରୁ ମିଳିଥିଲା ।
ଅଧିକ ପଢନ୍ତୁ: ରାମକୃଷ୍ଣ ମିଶନ ସଭାପତି ସ୍ୱାମୀ ସ୍ମରଣାନନ୍ଦଙ୍କ ଦେହାନ୍ତ