ଅହମ୍ମଦାବାଦ: ଏକ ସପ୍ତାହ ପୂର୍ବରୁ ଗୁଜରାଟର ଅହମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୭୫ ଜଣଙ୍କ ମଧ୍ୟରୁ ଡିଏନଏ ମେଳ ମାଧ୍ୟମରେ ୨୧୫ ଜଣଙ୍କୁ ଚିହ୍ନଟ କରାଯାଇଛି। ୧୯୮ ଜଣଙ୍କ ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଗୁରୁବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।
ଜୁନ୍ ୧୨ ତାରିଖରେ, ଅହମଦାବାଦରୁ ଲଣ୍ଡନ ଯାଉଥିବା ବିମାନ ଅହମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ମୁହୂର୍ତ୍ତ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ବ୍ୟତୀତ ବିମାନ ଦୁର୍ଘଟଣାଗ୍ରସ୍ତ ସ୍ଥାନରେ ୩୪ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା।
ଅହମ୍ମଦାବାଦ ସିଭିଲ୍ ହସ୍ପିଟାଲର ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ରାକେଶ ଯୋଶୀ କହିଛନ୍ତି, ଅନେକ ମୃତଦେହ ଗୁରୁତର ଭାବରେ ପୋଡ଼ି ଯାଇଥିବା କିମ୍ବା ଅତ୍ୟନ୍ତ କ୍ଷତିଗ୍ରସ୍ତ ହୋଇଥିବାରୁ ପୀଡିତମାନଙ୍କୁ ଚିହ୍ନଟ କରିବା ପାଇଁ ଡିଏନଏ ପରୀକ୍ଷା କରାଯାଉଛି। ୧୯୮ ଜଣ ମୃତକଙ୍କ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ ୧୪୯ ଜଣ ଭାରତୀୟ, ୩୨ ଜଣ ବ୍ରିଟିଶ ନାଗରିକ, ସାତ ଜଣ ପର୍ତ୍ତୁଗୀଜ ଏବଂ ଜଣେ କାନାଡିଆନ ଯାତ୍ରୀ ଅଛନ୍ତି। ଏହା ବ୍ୟତୀତ ଦୁର୍ଘଟଣାରେ ଭୂମିରେ ମୃତ୍ୟୁବରଣ କରିଥିବା ସାତ ଜଣଙ୍କ ମୃତଦେହ ମଧ୍ୟ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି।
ଗୁରୁବାର ମୁମ୍ବାଇର ଶହ ଶହ ଲୋକ ଦୁର୍ଘଟଣାଗ୍ରସ୍ତ ବୋଇଂ ଡ୍ରିମଲାଇନର ବିମାନର ସହ-ପାଇଲଟ କ୍ଲାଇଭ କୁଣ୍ଡରଙ୍କୁ ଶେଷ ବିଦାୟ ଦେଇଥିଲେ। କୁଣ୍ଡରଙ୍କୁ ସେୱରି ଖ୍ରୀଷ୍ଟିଆନ କବରସ୍ଥାନରେ ଦାହ କରାଯାଇଥିଲା। ସକାଳେ କୁଣ୍ଡରଙ୍କ ମୃତଦେହକୁ ଅହମ୍ମଦାବାଦରୁ ମୁମ୍ବାଇ ବିମାନବନ୍ଦରକୁ ଅଣାଯାଇଥିଲା ଏବଂ ସେଠାରୁ ଗୋରେଗାଓଁରେ ତାଙ୍କ ଜନ୍ମସ୍ଥାନକୁ ନିଆଯାଇଥିଲା। ସେଠାରେ ପରିବାର ସଦସ୍ୟ, ବନ୍ଧୁ ଏବଂ ସ୍ଥାନୀୟ ଲୋକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଅଧିକ ପଢ଼ନ୍ତୁ: ଇକୋ ଟୁରିଷ୍ଟ ଫି’ ଦେୟ ପାଇଁ ଫାଷ୍ଟ ଟ୍ରାକ୍ ସୁବିଧା ଆରମ୍ଭ