ସନ୍ନ୍ୟାସ ଗ୍ରହଣ କରି 200 କୋଟି ଦାନ କରିଦେଲେ ଦମ୍ପତି । ସେମାନଙ୍କର ପ୍ରାୟ 200 କୋଟି ଟଙ୍କାର ସମ୍ପତି ସାଧାରଣ ଲୋକଙ୍କ ଠାରେ ଦାନ କରିଛନ୍ତି ଦମ୍ପତି। ଚଳିତବର୍ଷ ପ୍ରାରମ୍ଭରେ ଏକ ପ୍ରତିଷ୍ଠିତ ନିର୍ମାଣକାରୀ ସଂସ୍ଥାର ମାଲିକ ଭବେଶ ଭଣ୍ଡାରୀ ଓ ପତ୍ନୀ ସନ୍ନ୍ୟାସୀ ଜୀବନ ଅତିବାହିତ କରିବାକୁ ନିଷ୍ପତ୍ତି ନେଇଥିଲେ। ରଥ ଢାଞ୍ଚାରେ ସଜ୍ଜିତ ହୋଇଥିବା ଏକ ଟ୍ରକ୍ରେ ଛିଡା ହୋଇ ଭବେଶ ଓ ପତ୍ନୀ ରାସ୍ତାରେ ଯାଉଥିବା ଲୋକଙ୍କୁ ନଗଦ ଟଙ୍କା, ମୂଳ୍ୟବାନ ପୋଷାକ, ମୋବାଇଲ ଫୋନ୍, ଏସି ଇତ୍ୟାଦି ବାଣ୍ଟୁଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଗତ ଫେବୃଆରୀରେ ଭବେଶ ଓ ପତ୍ନୀ ଜୈନ ଧର୍ମ ଅନୁଯାୟୀ ସନ୍ନ୍ୟାସୀ ହେବାକୁ ମନସ୍ଥ କରି ସବୁ ସମ୍ପତ୍ତି ଦାନ କରିଛନ୍ତି। ତେବେ ଜୈନ ପରମ୍ପରା ଅନୁଯାୟୀ ଭବେଶ ଦମ୍ପତି ଏହି ଶୋଭାଯାତ୍ରା ସମୟରେ ବର କନ୍ୟା ଭଳି ପୋଷାକ ପରିଧାନ କରିଥିବାବେଳେ ପାଦ ଠାରୁ ମସ୍ତକ ସ୍ବର୍ଣ୍ଣାଳଙ୍କାରରେ ନିଜକୁ ସଜ୍ଜିତ କରିଥିଲେ। ମ୍ୟୁଜିକ୍ ବ୍ୟାଣ୍ଡ୍ ଓ ନର୍ତ୍ତକୀଙ୍କ ଗହଣରେ ଏହି ଶୋଭାଯାତ୍ରା ବେଶ ଆକର୍ଷଣୀୟ ଲାଗୁଥିଲା। ସବୁ ସମ୍ପତ୍ତି ଦାନ କରିବା ପରେ ସେମାନେ ପରିବାରବର୍ଗଙ୍କ ସହ ସମ୍ପର୍କ ଛିନ୍ନ କରିବେ। ଏପ୍ରିଲ ୨୨ରୁ ଖାଲି ପାଦରେ ଭାରତ ଭ୍ରମଣ କରି ଭିକ୍ଷାବୃତ୍ତି କରିବେ ବୋଲି ମଧ୍ୟ ସେମାନେ କହିଛନ୍ତି। ସନ୍ନ୍ୟାସୀଭାବେ ସେମାନେ ନିଜ ପାଖରେ କେବଳ ଧଳାରଙ୍ଗର ବସ୍ତ୍ର, ଭିକ୍ଷାଥାଳ ଓ ଝାଡୁ ରଖିପାରିବେ। ଦୀକ୍ଷାର୍ଥୀ ସମାରୋହ ଶେଷ ହେବାପରେ ସମ୍ପୂର୍ଣ୍ଣ ଲଣ୍ଡା ହେବା ପର୍ଯ୍ୟନ୍ତ ଭବେଶ ଦମ୍ପତି ନିଜର କେଶକୁ ଓପାଡିବେ। ଜୈନ ପରମ୍ପରା ଅନୁଯାୟୀ ଏହି ପ୍ରଥା ଅତ୍ୟନ୍ତ କଷ୍ଟଦାୟକ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଭବେଶଙ୍କ ପୁଅ ଓ ଝିଅ ୨୦୨୨ରୁ ସନ୍ନ୍ୟାସ ନେଇସାରିଛନ୍ତି।
ଅଧିକା ପଢନ୍ତୁ: ମେ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ଯାତ୍ରୀ ପଞ୍ଜିକରଣ