ମୁମ୍ବାଇ: ମହାରାଷ୍ଟ୍ରର ଗୋନ୍ଦିଆ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି । ଫଳରେ ୧୦ ଜଣଙ୍କର ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି । ବସଟି ଭଣ୍ଡରାରୁ ଗୋନ୍ଦିଆ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟମା ଘଟିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ରାଜ୍ୟ ସରକାର ମୃତକଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କରିବା ସହିତ ଆହତଙ୍କର ମାଗଣା ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପୁଲିସର ସୂଚନା ମୁତାବକ, ରାଜ୍ୟ ପରିବହନ ବିଭାଗର ସରକାରୀ ବସ୍ ଭଣ୍ଡରା ଡିପୋରୁ ଗୋନ୍ଦିଆ ଅଭିମୁଖେ ଯାଉଥିଲା । ଏହି ସମୟର ଗୋନ୍ଦିଆ-ଅର୍ଜୁନୀ ରାସ୍ତାର ବିନ୍ଦ୍ରାବଣ ଟୋଲା ଗ୍ରାମ ନିକଟରେ ଭାରସାମ୍ୟ ହରାଇବାରୁ ବସଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଫଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି । ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ସିନ୍ଦେ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହା ସହିତ ଗୋନ୍ଦିଆ ଜିଲ୍ଲାପାଳଙ୍କ ସହିତ ମୁଖ୍ୟମନ୍ତ୍ରୀ ଯୋଗାଯୋଗ କରି ପଚାରି ବୁଝିଛନ୍ତି । ଦୁର୍ଘଟଣାରେ ସମସ୍ତ ଆହତଙ୍କ ମାଗଣାରେ ଗୁଣାତ୍ମକ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଆବଶ୍ୟକ ପଡ଼ିଲେ ଗୁରୁତରଙ୍କୁ ଘରୋଇ ମେଡ଼ିକାଲରେ ଭର୍ତ୍ତି କରିବାକୁ ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ସିନ୍ଦେ ।