ଗୁଆହାଟୀ: ପ୍ରବଳ ବର୍ଷା ଯୋଗୁଁ ଆସାମରେ ସୃଷ୍ଟି ହୋଇଥିବା ବନ୍ୟା ଉଗ୍ରରୂପ ନେଉଛି। ୨୮ଟି ଜଲ୍ଲାର ୨୩ ଲକ୍ଷ ଲୋକ ବନ୍ୟା ଯୋଗୁଁ ହନ୍ତସନ୍ତ ହେଉଛନ୍ତି। ରାଜ୍ୟର ଅଧିକାଂଶ ନଦୀର ଜଳସ୍ତର ବିପଦ ସଂକେତ ଟପିଛି। ରାଜ୍ୟରେ ଚଳିତବର୍ଷ ବନ୍ୟା, ଭୂସ୍ଖଳନ ଓ ଝଡ଼ରେ ୯୧ ଜଣଙ୍କର ମୃତ୍ୟୁ ହୋଇସାରିଛି। କେବଳ ବନ୍ୟା କାରଣରୁ ୭୯ ଜଣଙ୍କର ମୃତ୍ୟୁ ହୋଇଛି।
ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସମସ୍ତ ଶିବରରେ ପୂରା ବ୍ୟବସ୍ଥା କରାଯାଇଛି ଏବଂ ସ୍ଥିତି ସାଧାରଣ ହେବା ପର୍ଯ୍ୟନ୍ତ ଆବଶ୍ୟକ ସାମଗ୍ରୀର ପର୍ଯ୍ୟାପ୍ତ ଭଣ୍ଡାର ଖୋଲାଯାଇଛି। ବନ୍ୟା ଶିବିରର ସୁରକ୍ଷା ଓ ସ୍ବଚ୍ଛତା ସରକାରଙ୍କ ପ୍ରାଥମିକତା ଏବଂ ଟିମ୍ ମଧ୍ୟ ଲୋକଙ୍କ ସହିତ ଯୋଗାଯୋଗରେ ଅଛନ୍ତି।
ରାଜ୍ୟର ୨୮ଟି ଜିଲ୍ଲାରେ ୩୪୪୬ଟି ଗାଁର ୨୩ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ବନ୍ୟା ଯୋଗୁଁ ୬୮,୪୩୨.୭୫ ହେକ୍ଟର ଫସଲ ଜଳମଗ୍ନ ହୋଇଛି। ମୋଟ ୫୩,୬୮୯ ଲୋକଙ୍କୁ ୨୬୯ଟି ଶିବିରରେ ରଖାଯାଇଛି। ଶିବିରରେ ରହୁନଥିବା ୩,୧୫,୫୨୦ ଲୋକଙ୍କୁ ସାମଗ୍ରୀ ଯୋଗାଇ ଦିଆଯାଇଛି।
କାଜୀରଂଗା ଜାତୀୟ ଉଦ୍ୟାନରେ ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୧୫୯ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହୋଇସାରିଛି। ମୃତ ବନ୍ୟପ୍ରାଣୀଙ୍କ ମଧ୍ୟରୁ ୬ଟି ଗଣ୍ଡା ଓ ୧୧୭ଟି ହରିଣ ମଧ୍ୟ ସାମିଲ ଅଛନ୍ତି, ଯେଉଁମାନେ କି ପାଣିରେ ବୁଡ଼ି ଯାଇଥିଲେ। ଅନ୍ୟପଟରେ ୧୩୩ ବନ୍ୟପ୍ରାଣୀଙ୍କୁ ଉଦ୍ଧାର କରାଯାଇଛି। ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ବର୍ତ୍ତମାନ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ବନ୍ୟପ୍ରାଣୀଙ୍କୁ ଚିକିତ୍ସା କରାଯାଉଛି। ସୁସ୍ଥ ହୋଇଥିବା ୬୦ରୁ ଊର୍ଦ୍ଧ୍ବ ବନ୍ୟପ୍ରାଣୀଙ୍କୁ ସୁରକ୍ଷିତ ଜଙ୍ଗଲରେ ଛାଡ଼ି ଦିଆଯାଇଛି।