ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାର ଅଭିଯୁକ୍ତ ଶରଜିଲ ଇମାମ ପ୍ରାୟ ୬ ବର୍ଷ ପରେ ଜେଲରୁ ବାହାରିଛନ୍ତି । ଇମାମଙ୍କୁ ଦିଲ୍ଲୀର ଏକ ଅଦାଲତ ୧୦ ଦିନର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଶୁକ୍ରବାର ତିହାର ଜେଲରୁ ବାହାରିବା ପରେ ଶରଜିଲଙ୍କ ଖୁସି ତାଙ୍କ ଚେହେରାରେ ନଜର ଆସିଥିଲା । ସେ ମିଡିଆର କ୍ୟାମେରା ସାମ୍ନାରେ ସ୍ମିତ ହାସ୍ୟ ଦେଇ ଭିଜୟ ସଙ୍କେତ ଦେଇଥିଲେ ।
ଦିଲ୍ଲୀର ଏକ ଅଦାଲତ ୨୦୨୦ ମାର୍ଚ୍ଚ ୯ରେ ଘଟିଥିବା ଦିଲ୍ଲୀ ଦଙ୍ଗା ମାମଲାର ଅଭିଯୁକ୍ତ ଶରଜିଲ ଇମାମଙ୍କୁ ପାରିବାରିକ ସମାରୋହରେ ସାମିଲ୍ ହେବା ପାଇଁ ଅନେକ ସର୍ତ୍ତ ସହ ୧୦ ଦିନର ଅନ୍ତରୀଣ ଜାମିନ ଦେଇଥିଲେ । ଇମାମଙ୍କୁ ନିଜର ବନ୍ଧୁ, ସଂପର୍କୀୟ କିମ୍ବା ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟ କାହାରିକୁ ଭେଟିବାର ଅନୁମତି ନାହିଁ । ଯାଚିକାରେ ଉଲ୍ଲେଖ ଥିବା ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନ ଯିବା ମନା । ଏହା ବ୍ୟତୀତ ସୋସିଆଲ ମିଡିଆ ବ୍ୟବହାର ଉପରେ ମଧ୍ୟ କଟକଣା ରହିଛି ।
ଅତିରିକ୍ତ ସେସନ ନ୍ୟାୟାଧୀଶ ସମୀର ବାଜପେୟୀଙ୍କ ଅଦାଲତରେ ଇମାମ ନିଜ ଭାଇଙ୍କ ବିବାହ ସମାରୋହରେ ସାମିଲ୍ ହେବା ଏବଂ ଇଦ ଉତ୍ସବ ସମୟରେ ପରିବାର ସହିତ ରହିବା ପାଇଁ ଛଅ ସପ୍ତାହର ଜାମିନ ମାଗିଥିଲେ । ହେଲେ ଅଦାଲତ ତାଙ୍କୁ ୧୦ ଦିନର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ମାର୍ଚ୍ଚ ୨୫ରେ ଇମାମଙ୍କ ଭାଇଙ୍କ ବିବାହ କାର୍ଯ୍ୟକ୍ରମ ରହିଛି । ଅଦାଲତ ଇମାମଙ୍କୁ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚଲିକା ଓ ଦୁଇ ଜଣ ଜାମିନଦାର ହାଜର କରାଇବାକୁ ନିର୍ଦ୍ଦେଶ ଦେଇଥିଲେ ।
Also read: ରାସନକାର୍ଡଧାରୀଙ୍କ ପାଇଁ ଖୁସିର ଖବର, ଏପ୍ରିଲରେ ତିନି ଗୁଣ ମିଳିବ ଚାଉଳ-ଗହମ