ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ରାଜ୍ୟରେ ବ୍ୟାପିଥିବା ଝାଡ଼ାବାନ୍ତିକୁ ନଜର ରଖି ଆଗୁଆ ପଦକ୍ଷେପ ଗ୍ରହଣ କରିଛି । ସମ୍ବଲପୁର ମହାନଗର ନିଗମର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ସହରର ଦଲେଇପଡାଠାରୁ ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ ଓ ଫୁଡ୍ ଷ୍ଟଲ୍ ଉପରେ ଅତର୍କିତ ଚଢ଼ଉ କରାଯାଇଛି ।
ଖାଦ୍ୟ ନିରାପତ୍ତା ବିଭାଗର ଅଧିକାରୀ ସନ୍ଦିପ ସୌରଭଙ୍କ ନେତୃତ୍ୱରେ ଚଢ଼ଉ କରାଯାଇଛି । ଖାଦ୍ୟର ମାନ ଯାଞ୍ଚ ସହ ବିଭିନ୍ନ ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି । ବିଭିନ୍ନ ସ୍ଥାନରୁ ବାସି ଖାଦ୍ୟ ଜବତ କରି ତାକୁ ନଷ୍ଟ କରାଯାଇଛି । ସେହିପରି ଖାଦ୍ୟ ପ୍ରସ୍ତୁତି ଓ ରୋଷେଇ ହେଉଥିବା ସ୍ଥାନରେ ପରିଷ୍କାର ପରିଚ୍ଛନ୍ନତା ରଖିବାକୁ କଡ଼ା ତାଗିଦ କରିଛି ଖାଦ୍ୟ ନିରାପତ୍ତା ଟିମ୍ । ଯେଉଁ ଦୋକାନୀ ନିୟମ ଉଲ୍ଲଂଘନ କରିଛନ୍ତି ସେମାନଙ୍କଠାରୁ ଫାଇନ୍ ମଧ୍ୟ ଆଦାୟ କରାଯାଇଛି । ଖାଦ୍ୟ ନିରାପତ୍ତା ନିୟମ ଉଲ୍ଲଙ୍ଘନ କରୁଥିବା ଘଟଣା ବାରମ୍ବାର ସାମ୍ନାକୁ ଆସିଲେ ଆବଶ୍ୟକ ସ୍ଥଳେ ହୋଟେଲ ଓ ରେଷ୍ଟୁରାଣ୍ଟକୁ ସିଲ୍ କରାଯିବ ବୋଲି ଖାଦ୍ୟ ନିରାପତ୍ତା ବିଭାଗର ଅଧିକାରୀ ସନ୍ଦିପ ସୌରଭ ଚେତାବନୀ ଦେଇଛନ୍ତି ।