କାଳିଆ ହିତାଧିକାରୀଙ୍କୁ ନେଇ ପୁଣି ଗଡ଼୍‌ବଡ଼୍‌ , ତଥ୍ୟରେ ରହୁନି ସରକାରଙ୍କ ତାଳମେଳ
Khabar Odisha:politics-Odisha-Kalia-Yojana-in-Odisha-Assembly
ଭୁବନେଶ୍ୱର, ଫେବୃଆରୀ ୧୮(ଖବର ଓଡ଼ିଶା):

ପୁଣି କାଳିଆ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ନେଇ ପୁଣି ଗୃହରେ ଉଠିଲା ବଡ଼ ପ୍ରଶ୍ନ। ସରକାରଙ୍କ କାଳିଆ ହିତାଧିକାରୀ ତଥ୍ୟରେ ରହୁନି ତାଳମେଳ । 

ଆଜି ବିଧାନସଭାରେ ମଦନ ମୋହନ ଦତ୍ତ କାଳିଆ ଯୋଜନାରେ ଏଯାବତ୍ କେତେ କିସ୍ତିରେ କେତେଜଣ ହିତାଧିକାରୀଙ୍କୁ ଅର୍ଥ ବଣ୍ଟନ କରାଯାଇଛି ବୋଲି ପ୍ରଶ୍ନ ଉଠାଇଥିଲେ । କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ ଏହି ପ୍ରଶ୍ନର ଉତ୍ତର ଖିବାକୁ ଯାଇ କହିଛନ୍ତି ଯେ, କାଳିଆ ଯୋଜନାରେ ଏଯାବତ୍ ୨ଟି କିସ୍ତିରେ ଟଙ୍କା ଯାଇଛି । କାଳିଆ ଯୋଜନାରେ ଟଙ୍କା ନେଇଛନ୍ତି ୪୫ ହଜାର ୯୬୫ ଜଣ ଅଯୋଗ୍ୟ ହିତାଧିକାରୀ। ସେମାନଙ୍କୁ ଚିହ୍ନଟ କରାଯାଇ ମିଳିଥିବା ରାଶି ଫେରସ୍ତ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଆଜି ବିଧାନସଭାରେ କୃଷି ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି । ତେବେ ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୮୬୩ ଜଣ ସହାୟତା ରାଶି ଫେରସ୍ତ କରିସାରିଥିବା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

ସେହିପରି କାଳିଆ ଯୋଜନାକୁ କେନ୍ଦ୍ରୀୟ ଯୋଜନାରେ ସାମିଲ କରିବାର କୌଣସି ପ୍ରସ୍ତାବ ନାହିଁ। ଯେହେତୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ୩ଟି କିସ୍ତିରେ ବାର୍ଷିକ ୬ ହଜାର ଟଙ୍କା ପାଇବେ, ତାଙ୍କୁ କାଳିଆ ଯୋଜନାରେ ୪ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି କୃଷି ମନ୍ତ୍ରୀ ସୂଚନା ଦେଇଛନ୍ତି।

ତେବେ କୃଷି ମନ୍ତ୍ରୀ ଅରୁଣ ସାହୁ କାଳିଆ ଯୋଜନାରେ ୫୧ ଲକ୍ଷ ୫ ହଜାର ୨୯୦ ଜଣ ହିତାଧିକାରୀଙ୍କୁ ଟଙ୍କା ମିଳିଥିବା ଗତବର୍ଷ କହିଥିଲେ କିନ୍ତୁ ଗତକାଲି ବଜେଟ ଅଭିଭାଷଣରେ ହିତାଧିକାରୀଙ୍କ ସଂଖ୍ୟା ବଦଳିଥିଲା। ମୋଟ ୪୩ ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା ମିଳିଛି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ । ଚଳିତ ବର୍ଷ ଜାନୁଆରୀରେ ପୁଣି ୪୭,୭୯,୩୮୧ ଚାଷୀଙ୍କୁ କାଳିଆ ଟଙ୍କା ମିଳିଥିବା ତଥ୍ୟ ଦେଇଥିଲେ ସରକାର । ତେବେ ଟଙ୍କା ପାଇଥିବା ବାକି ୮ ଲକ୍ଷ ୫ ହଜାର ହିତାଧିକାରୀ ଗଲେ କୁଆଡ଼େ ବୋଲି ଏବେ ପ୍ରଶ୍ନ ଉଠିଛି।

  • Tags:

Subscribe

National International State Sports Entertainment