ଖବର ଓଡ଼ିଶା: ପୁରୀ ଗୋପ୍ ଅଞ୍ଚଳରେ ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି । ବଜ୍ରପାତରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି । ମୃତ ମହିଳା ଜଣକ ହେଲେ କୋଣାର୍କ ଛଇତନା ଭୋଇ ସାହିର କୁନ୍ତି ଭୋଇ । ସେହିପରି ଜଣଙ୍କୁ ଭୁବନେଶ୍ୱର ଏମ୍ସ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ସୋମବାର ସକାଳୁ ପୁରୀର ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ହୋଇଥିଲା । ଗୋପ ଅଞ୍ଚଳରେ କିଛି ଲୋକ ବିଲରେ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ଗୁରୁତର ହୋଇ ପଡ଼ିଛନ୍ତି । ସେହିପରି ବାଲି କପଳେଶ୍ୱରରେ ଜଳ ଲାଗି କରିବାକୁ ଆସିଥିବା କିଛି ଭକ୍ତ ଆହତ ହୋଇଛନ୍ତି । ସମସ୍ତଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମେଡ଼ିକାଲରେ ଡାକ୍ତର ଜଣକୁ ମୃତ ଘୋଷଣା କରିଛନ୍ତି । ମୃତ ମହିଳା ଜଣକ ହେଲେ ଛଇତନା ଭୋଇ ସାହିର କୁନ୍ତି ଭୋଇ । ସେ ବିଲରେ ଧାନ ରୋଉ ଥିଲେ ବୋଲି ଜଣା ପଡ଼ିଛି ।
ସେହିପରି ୭ରୁ ୮ ଜଣ ଆହତ ହୋଇଥିବାବେଳେ ଜଣଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି । ବିକ୍ରମ କିଶୋର ପାଣିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ସେହିପରି କାଉଁଡ଼ିଆ ଭକ୍ତ କାହ୍ନୁ ବେହେରା ଓ ପଶ୍ଚିମ ବଙ୍ଗର ଶ୍ରମିକ କାଦିର ଶେଖ୍ ଏବେ ଚିକିତ୍ସାଧୀନ ଅଛନ୍ତି ।