ପୁଣି ଥରେ କଥା ବଦଳାଇଲା ପାକିସ୍ତାନ, ଉଦଘାଟନ ଦିନ ମଧ୍ୟ ଶ୍ରଦ୍ଧାଳୁଙ୍କଠୁ ଆଦାୟ କରିବ ୨୦ ଡଲାର
Khabar Odisha:international-odisha-kartarpur-corridor-pakistan-will-take-20-fee-from-from-all-pilgrims-on-november-9
ନୂଆଦିଲ୍ଲୀ,ନଭେମ୍ବର୦୮(ଖବର ଓଡ଼ିଶା):

କରତାରପୁର କରିଡ଼ରକୁ ନେଇ କ୍ରମାଗତ ନିଜର ଆଭିମୁଖ୍ୟ ବଦଳାଉଥିବା ପାକିସ୍ତାନ ପୁଣି ଥରେ ନିଜର ଅସଲ ଚରିତ୍ର ଦେଖାଇଛି। ପାକିସ୍ତାନ ଏବେ ନଭେମ୍ବର ୯ରେ କରତାରପୁର ଗୁରୁଦ୍ଵାରର ଦର୍ଶନ ଲାଗି ଆସୁଥିବା ଭାରତର ପ୍ରଥମ ଦଳଠୁ ମଧ୍ୟ ୨୦ ଡଲାର ଅର୍ଥ ଆଦାୟ କରିବ ବୋଲି କହିଛି। ଏହା ପୂର୍ବରୁ ପାକିସ୍ତାନ ୨୦ ଡଲାର ଅର୍ଥ ଆଦାୟ କରିବ ବୋଲି କହିଥିଲା, ମାତ୍ର କରିଡ଼ରର ଉଦଘାଟନୀ ଦିନ ଅର୍ଥାତ ନଭେମ୍ବର ୯ରେ ଏଥିରେ ରିହାତି ଦେବ ବୋଲି ଘୋଷଣା କରିଥିଲା। ଖୋଦ୍ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ଘୋଷଣା କରିଥିଲେ, ମାତ୍ର ଏବେ ପୁଣି ଥରେ ପାକିସ୍ତାନ ନିଜ କଥାରୁ ଓହରି ଯାଇଛି।

ଏହା ପୂର୍ବରୁ ନଭେମ୍ବର ୭ରେ ପାସପୋର୍ଟ ଜରୁରୀ ନୁହଁ କଥାରୁ ମଧ୍ୟ ଓଲଟି ଯାଇଛି ପାକିସ୍ତାନ।  ପ୍ରଥମେ  କହିଥିଲା ଯେ ଭାରତୀୟ ଶ୍ରଦ୍ଧାଳୁଙ୍କ ଲାଗି ପାସପୋର୍ଟ ଜରୁରୀ ନୁହଁ। ପାକିସ୍ତାନ ପକ୍ଷରୁ ସେନା କହିଛି ଯେ, ଆମେ ସୁରକ୍ଷା କାରଣରୁ ପାସପୋର୍ଟରେ ରିହାତି ଦେଇ ପାରିବୁ ନାହିଁ। ପାକିସ୍ତାନ ସେନାର ମୁଖପାତ୍ର ମେଜର ଜେନେରାଲ ଆସିଫ ଗଫୁର କହିଥିଲେ ଯେ ଆମେ ନିଜର ସାର୍ବଭୌମତା ଓ ସୁରକ୍ଷା ସହିତ ସାଲିସ୍ କରି ପାରିବୁ ନାହିଁ। ତେଣୁ ଭାରତୀୟ ଶ୍ରଦ୍ଧାଳୁଙ୍କ ଲାଗି ପାସପୋର୍ଟ ଜରୁରୀ। 

ପାସପୋର୍ଟ ନେଇ ଯାଆନ୍ତୁ ଶ୍ରଦ୍ଧାଳୁ

ଉଲ୍ଲେଖଯୋଗ୍ୟ, ଗୁରୁବାର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହିଥିଲେ ଯେ, କରତାରପୁର ସାହିବ ଯାଉଥିବା ଶ୍ରଦ୍ଧାଳୁଙ୍କ ଲାଗି ପାସପୋର୍ଟ  ଜରୁରୀ। ସେ କହିଛନ୍ତି ଯେ, ପାକିସ୍ତାନ ପକ୍ଷରୁ ବିରୋଧାଭାସୀ ରିପୋର୍ଟ ଆସୁଛି। କେବେ କହୁଛନ୍ତି ପାସପୋର୍ଟ ଜରୁରୀ ତ କେବେ କହୁଛନ୍ତି  ଜରୁରୀ ନୁହଁ। ତେଣୁ ତାଙ୍କ ବିଦେଶ ବିଭାଗ ଓ ଅନ୍ୟ ଏଜେନ୍ସି ମଧ୍ୟରେ ମତଭେଦ ରହିଛି। ଆମ ପାଖରେ ଏମଓୟୁ ରହିଛି ଏବଂ ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ। ସେହି ଅନୁସାରେ ପାସପୋର୍ଟ ଜରୁରୀ।

Subscribe

National International State Sports Entertainment