ଡେରାଡୁନ୍: ଉତ୍ତରାଖଣ୍ଡରେ ଶୁକ୍ରବାର ଭୋର୍ରୁ କେଦାରନାଥ ଧାମର ଦ୍ୱାର ଖୋଲିବା ସହିତ ଚାରିଧାମଯାତ୍ରା ଆରମ୍ଭ ହୋଇଯାଇଛି । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆରମ୍ଭ ହୋଇଥିବା ଏହି ଧାର୍ମିକ ଯାତ୍ରାରେ ଶ୍ରଦ୍ଧାଳୁମାନେ ଭଗବାନ କେଦାରଙ୍କ ନଗରୀରେ ପହଞ୍ଚିଛନ୍ତି । ଏହି ସମୟରେ କେଦାରନାଥଙ୍କ ପୀଠରେ ଜୟ କେଦାରନାଥ, ହରହର ମହାଦେବ ଧ୍ୱନୀରେ ଗଗନ-ପବନ ଉଛୁଳି ପଡୁଛି ।
କେଦାରନାଥ ଧାମର ପ୍ରମୁଖ ରାୱଲ ଭୀମାଶଙ୍କର ଲିଙ୍ଗ ପୂର୍ଣ୍ଣ ବିଧିବିଧାନର ସହିତ ମନ୍ଦିରର ଦ୍ୱାର ଖୋଲିଥିଲେ । ସକାଳ ୭ଟା ୧୦ରେ ଭକ୍ତମାନଙ୍କ ପାଇଁ କେଦାରନାଥ ଧାମର ଦ୍ୱାର ଖୋଲି ଦିଆଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଧ୍ୟ ଉପସ୍ଥିତ ଥିଲେ । ଏହା ପରେ ଆଜି ପୂର୍ବାହ୍ଣ ୧୦ଟା ୨୯ରେ ଯମୁନେତ୍ରୀ ଧାମ ଓ ଅପରାହ୍ଣ ୧୨ଟା ୨୫ରେ ଗଂଗୋତ୍ରୀ ଧାମର ଦ୍ୱାର ଖୋଲି ଦିଆଯିବାକୁ ନିଷ୍ପତ୍ତି ହୋଇଛି । ଶ୍ରୀ ଧାମୀ ଦର୍ଶନ ଓ ନିରୀକ୍ଷଣ ପାଇଁ ସକାଳ ୭ଟାରେ କେଦାରନାଥ ଧାମକୁ ପହଞ୍ଚି ଯାଇଥିଲେ ।
ସୂଚନାଯୋଗ୍ୟ, ଭଗବାନ ବଦ୍ରୀନାଥଙ୍କ ଦ୍ୱାରରେ ପ୍ରବେଶ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କୁ ଆଉ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡ଼ିବ । ବଦ୍ରୀନାଥଧାମ ଆସନ୍ତା ୧୨ ତାରିଖ ସକାଳ ୬ଟାରେ ଭକ୍ତମାନଙ୍କ ପାଇଁ ଖୋଲିବ ।
ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଚାରିଧାମ ଯାତ୍ରା ଆରମ୍ଭ ହେବା ଅବସରରେ ଶ୍ରଦ୍ଧାଳୁମାନଙ୍କୁ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି, ଆପଣ ସମସ୍ତଙ୍କୁ ଚାରିଧାମ ଯାତ୍ରା ୨୦୨୪ରେ ସ୍ୱାଗତ ଓ ଅଭିନନ୍ଦନ ଜଣାଉଛି । ଆପଣମାନଙ୍କୁ ଅନୁରୋଧ ଯେ, ଯାତ୍ରା ସମୟରେ ସ୍ୱଚ୍ଛତା ପ୍ରତି ଦୃଷ୍ଟି ଦେବେ । ପ୍ଲାଷ୍ଟିକ ବ୍ୟବହାରରୁ ଦୂରରେ ରହିବେ । ଆମ ସରକାର ଚାରିଧାମ ଆସୁଥିବା ବରିଷ୍ଠ ନାଗରିକ, ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ।