ନୂଆଦିଲ୍ଲୀ: ଉତ୍ତର ଭାରତରେ ଥଣ୍ଡା ଓ କୁହୁଡ଼ିର ପ୍ରଭାବ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଏହାର ପ୍ରଭାବ ଟ୍ରେନ୍ ଓ ବିମାନ ଉପରେ ମଧ୍ୟ ଦେଖିବାକୁ ମିଳୁଛି। ସେପଟେ ପାହାଡ଼ିଆ ଅଂଚଳରେ ପାଗରେ ପୁଣି ଥରେ ପରିବର୍ତନ ହେବାର ସଙ୍କେତ ମିଳିଥିବା ବେଳେ ବୁଧବାର ସମତଳ ଅଞ୍ଚଳର ଅନେକ ରାଜ୍ୟରେ ବର୍ଷା ଯୋଗୁଁ ପାଗରେ ପୁଣି ପରିବର୍ତ୍ତନ ଆସିଛି।
ଜାତୀୟ ରାଜଧାନୀ ଦିଲ୍ଲୀରେ କୁହୁଡ଼ି ଯୋଗୁଁ ଆଇଜିଆଇ ବିମାନବନ୍ଦରରୁ ଉଡ଼ାଣ କରୁଥିବା ପ୍ରାୟ ୫୦୦ ବିମାନ ବୁଧବାର ବିଳମ୍ବିତ ହୋଇଛି। ଏଥିମଧ୍ୟରୁ ପ୍ରାୟ ଅଧା ବିମାନ ଏକ ଘଣ୍ଟା କିମ୍ବା ତା'ଠାରୁ ଅଧିକ ବିଳମ୍ବରେ ଗନ୍ତବ୍ୟସ୍ଥଳଅଭିମୁଖେ ଯାତ୍ରା କରିଥିଲା। କୁହୁଡ଼ି ଏତେ ଭୟଙ୍କର ଥିଲା ଯେ ଇଣ୍ଡିଗୋର ୨୨ଟି ଏବଂ ସ୍ପାଇସ୍ ଜେଟ୍ର ଅବଶିଷ୍ଟ ୨ଟି ବିମାନ ସମେତ ଦୁଇ ଡଜନ ବିମାନ ବାତିଲ କରିବାକୁ ପଡ଼ିଥିଲା।
ଯାତ୍ରୀଙ୍କ ଅସୁବିଧାକୁ ଏଡ଼ାଇବା ପାଇଁ ଡାଏଲ୍ ଓ ଏୟାରଲାଇନ୍ସ ପକ୍ଷରୁ ଦିନତମାମ ଆଡଭାଇଜରି ଜାରି କରାଯାଇଥିଲା। ବିମାନ ଉଡ଼ାଣ ସମ୍ପର୍କିତ ସୂଚନା ପାଇଁ ଯାତ୍ରୀମାନଙ୍କୁ ଏୟାରଲାଇନ୍ସ ସହ ଯୋଗାଯୋଗରେ ରହିବାକୁ ପରାମର୍ଶ ଦିଆଯାଇଛି, ଯାହାଦ୍ୱାରା ସେମାନେ ଅପଡେଟ୍ ପାଇପାରିବେ। ବିଳମ୍ବ ଯୋଗୁଁ ଅନେକ ବିମାନ ବାତିଲ କରିବାକୁ ପଡ଼ିଥିଲା। ସ୍ପାଇସ୍ ଜେଟ୍ କୋଲକାତା, ଚେନ୍ନାଇ ଓ ପୁଣେକୁ ଉଡ଼ାଣ ବାତିଲ କରିଛି। ସେହିପରି ପାଟନା, ବାରଣାସୀ, ଦରଭଙ୍ଗା, ଗୌହାଟୀ, କୋଲକାତା, ରାୟପୁର, ଜୟପୁର, ସୁରଟ, ଗୋଆ, ବେଙ୍ଗାଲୁରୁ, ନାଗପୁର, ଔରଙ୍ଗାବାଦ, ମୁମ୍ବାଇ, ଡେରାଡୁନ, ଅମୃତସର, ଲକ୍ଷ୍ନୌ ଓ ଭୋପାଳକୁ ଇଣ୍ଡିଗୋ ବିମାନ ବାତିଲ କରିଛି।
ଗୁରୁବାରଠାରୁ ଜମ୍ମୁ-କଶ୍ମୀରର ପାଗରେ ପୁଣି ଥରେ ପରିବର୍ତ୍ତନ ହେବାକୁ ଥିବା ବେଳେ ଉପତ୍ୟକାର ଅନେକ ସ୍ଥାନରେ ତୁଷାରପାତ ହେବାର ସମ୍ଭାବନା ରହିଛି। ଜମ୍ମୁ ଡିଭିଜନର ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ମଧ୍ୟ ସମାନ ପାଗ ଦେଖିବାକୁ ମିଳିପାରେ। ସେପଟେ ପ୍ରବଳ ଥଣ୍ଡା ସହ ସଂଘର୍ଷ କରୁଥିବା ଉପତ୍ୟକାବାସୀଙ୍କୁ କୌଣସି ଆଶ୍ୱସ୍ତି ମିଳୁନାହିଁ। ବୁଧବାର ଶ୍ରୀନଗର ସମେତ ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ଥଣ୍ଡାଠାରୁ କମ୍ ରହିଥିଲା। ପହଲଗାମ ଉପତ୍ୟକାର ସର୍ବନିମ୍ନ ୮.୪ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସବୁଠାରୁ ଥଣ୍ଡା ଅଞ୍ଚଳ ଥିଲା। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଜାନୁଆରି ୧୬ ରୁ ଉପତ୍ୟକାର ଉପର ଅଞ୍ଚଳରେ ପୁଣି ତୁଷାରପାତ ହେବାର ସମ୍ଭାବନା ରହିଛି। ବିହାରରେ କୁହୁଡ଼ି ଯୋଗୁଁ ସାଧାରଣ ଜନଜୀବନ ପ୍ରଭାବିତ ହେବା ସହ ବିମାନ ଓ ଟ୍ରେନ୍ ଚଳାଚଳରେ ବିଳମ୍ବ ହେଉଛି।
ଘନ କୁହୁଡ଼ି ଯୋଗୁଁ ଉତ୍ତରପ୍ରଦେଶର ଅନେକ ଜିଲ୍ଲାରେ ଦୈନନ୍ଦିନ ଜୀବନଯାତ୍ରା ପ୍ରଭାବିତ ହେଉଛି। ଅନେକ ଜିଲ୍ଲାରେ ଘନ କୁହୁଡ଼ି ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ବୁଧବାର ଫତେପୁରରେ ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ଏହା ପରେ ବିଜନୋରରେ ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ଏବଂ ମିରଟରେ ୭.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଗୁରୁବାର ରାଜ୍ୟର କେତେକ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶୁକ୍ରବାର ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ଘନ କୁହୁଡ଼ି ଲାଗି ରହିବ।