ୱାଶିଂଟନ: ଆମେରିକାର ଲସ୍ ଆଞ୍ଜେଲସରେ ଲାଗିଥିବା ଭୟାବହ ଅଗ୍ନିକାଣ୍ଡ ଏପର୍ଯ୍ୟନ୍ତ ନିୟନ୍ତ୍ରଣ ହୋଇପାରିନାହିଁ। ମୃତ୍ୟୁ ସଂଖ୍ୟା ୧୬ରେ ପହଞ୍ଚିଛି। ଏହି ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅଧିକାରୀମାନେ କହିଛନ୍ତି। ସେପଟେ ନିଆଁକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବାରୁ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଧିକାରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଟ୍ରମ୍ପ ଏହି ଅଧିକାରୀମାନଙ୍କୁ ଅପାରଗ ବୋଲି କହିଛନ୍ତି।
ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ କର୍ତ୍ତୃପକ୍ଷଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହା ଆମେରିକା ଇତିହାସର ସବୁଠାରୁ ଭୟଙ୍କର ବିପର୍ଯ୍ୟୟ। ଲସ୍ ଆଞ୍ଜେଲସରେ ଏବେ ବି ନିଆଁ ଲାଗି ରହିଛି। କିପରି ନିଆଁକୁ ଆୟତ୍ତ କରାଯିବ ତାହା ଅକ୍ଷମ କର୍ତ୍ତୃପକ୍ଷ ଜାଣିନାହାନ୍ତି। ହଜାର ହଜାର ଭବ୍ୟ ଘର ଜଳିଯାଇଛି। ଖୁବଶୀଘ୍ର ଆହୁରି ଅନେକ ଜଳିଯିବ। ଚାରିଆଡ଼େ ମୃତ୍ୟୁ ରହୁଛି। ଆମେରିକା ଇତିହାସରେ ଏହା ସବୁଠାରୁ ଭୟଙ୍କର ବିପର୍ଯ୍ୟୟ।
ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ ଏହି ଅଗ୍ନିକାଣ୍ଡରେ ଅତି କମରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ପାଖାପାଖି ୨ ଲକ୍ଷ ଲୋକଙ୍କୁ ଅନ୍ୟ ସ୍ଥାନକୁ ପଠାଯାଇଛି। ପାଖାପାଖି ୧୦ ହଜାର ଘର କ୍ଷତିଗ୍ରସ୍ତ ହୋଇଛି।
ରିପୋର୍ଟ ଅନୁଯାୟୀ ସୂର୍ଯ୍ୟାସ୍ତ ନିଆଁକୁ ନିୟନ୍ତ୍ରଣ କରାଯାଇଛି। କିନ୍ତୁ ହର୍ଷ୍ଟରେ ଲାଗିଥିବା ଅଗ୍ନିକାଣ୍ଡରେ ୭୭୧ ଏକର ଜମିର ସବୁ କିଛି ନଷ୍ଟ ହୋଇଯାଇଛି। କେନେଥ୍ (୯୫୯), ଇଟନ୍ (୧୩,୬୯୦) ଓ ପାଲିସାଡେସ୍ (୧୯,୯୭୮)ରେ ଅଗ୍ନିକାଣ୍ଡ ଘଟିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୫ ହଜାର ଏକର ଜଙ୍ଗଲ ଜଳି ଯାଇଛି। ଏହି ଅଞ୍ଚଳ ର ଆକାର ମ୍ୟାନହାଟନ ଠାରୁ ପ୍ରାୟ ଅଢ଼େଇ ଗୁଣ ଅଧିକ ।
ଅନ୍ୟପକ୍ଷରେ କାଲିଫର୍ଣ୍ଣିଆ ଗଭର୍ଣ୍ଣର ଗାଭିନ୍ ନ୍ୟୁସମ୍ ଲୋକମାନଙ୍କୁ ଦକ୍ଷିଣ କାଲିଫର୍ଣ୍ଣିଆ ଜଙ୍ଗଲରେ ନିଆଁ ଲାଗିବାର ଗୁଜବ ଉପରେ ଧ୍ୟାନ ନଦେବାକୁ ଅନୁରୋଧ କରିଛନ୍ତି। ଏକ୍ସରେ ସେ ଲେଖିଛନ୍ତି ଯେ ଅନେକ ଭୁଲ ସୂଚନା ରହିଛି।