ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ମଧ୍ୟରେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ରେ ସୋମବାର ଏକ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦୁଇ ପରମାଣୁ ଅସ୍ତ୍ରଶସ୍ତ୍ର ପଡ଼ୋଶୀ ଦେଶ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଉପରେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଗଭୀର ଚିନ୍ତା ପ୍ରକାଶ କରିବା ପରେ ଏହି ବୈଠକ ଡକାଯାଇଥିଲା। ସେ କହିଥିଲେ ଯେ 'ବର୍ଷ ବର୍ଷ ମଧ୍ୟରେ ଉତ୍ତେଜନା ସର୍ବାଧିକ' ଏବଂ 'ପରିସ୍ଥିତି ଏକ ବିପଦପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି।'
ସୁରକ୍ଷା ପରିଷଦର ଏକ ଅସ୍ଥାୟୀ ସଦସ୍ୟ ପାକିସ୍ତାନ ଏହି ବୈଠକ ପାଇଁ ‘ରୁଦ୍ଧ ଆଲୋଚନା’ ଅନୁରୋଧ କରିଥିଲା। ଏହି ବୈଠକ ସୁରକ୍ଷା ପରିଷଦର ମୁଖ୍ୟ ପ୍ରକୋଷ୍ଠରେ ନୁହେଁ, ବରଂ ଏହା ପାଖରେ ଥିବା 'ପରାମର୍ଶ କକ୍ଷ'ରେ ହୋଇଥିଲା, ଯେଉଁଠାରେ ସାଧାରଣତଃ ଏକ ବନ୍ଦ କୋଠରୀରେ ଗୋପନୀୟ ଆଲୋଚନା ହୋଇଥାଏ।
ପାକିସ୍ତାନ କଣ କହିଲା?
ପୂର୍ବତନ ଭାରତୀୟ ସ୍ଥାୟୀ ପ୍ରତିନିଧି ସୟଦ ଆକବରୁଦ୍ଦିନ କହିଛନ୍ତି ଯେ ଏହି ବୈଠକରୁ କୌଣସି ‘ଠୋସ୍ ଫଳାଫଳ’ ଆଶା କରାଯିବା ଉଚିତ୍ ନୁହେଁ। ସେ କହିଛନ୍ତି ଯେ ପାକିସ୍ତାନ ଏହି ପ୍ଲାଟଫର୍ମ ବ୍ୟବହାର କରି କେବଳ ‘ଧାରଣା ସୃଷ୍ଟି’ କରିବାକୁ ଚେଷ୍ଟା କରୁଛି ଯାହାର ଭାରତ ଉପଯୁକ୍ତ ଜବାବ ଦେବ। ଅନ୍ୟପକ୍ଷରେ, ପାକିସ୍ତାନ ଦାବି କରି କହିଛି ଯେ ଏହି ବୈଠକ ପଛରେ ସେମାନଙ୍କର ଉଦ୍ଦେଶ୍ୟ ସଫଳ ହୋଇଛି।
ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ, ଗୁଟେରେସ୍ ଜମ୍ମୁ କଶ୍ମୀରର ପହଲଗାମରେ ଗତ ୨୨ ତାରିଖରେ ସଂଘଟିତ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଥିଲେ, ଯେଉଁଥିରେ ଜଣେ ନେପାଳୀ ନାଗରିକଙ୍କ ସମେତ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ସେ କହିଥିଲେ, ନାଗରିକ ଲୋକଙ୍କୁ ଟାର୍ଗେଟ କରିବା କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ଦୋଷୀମାନଙ୍କୁ ନ୍ୟାୟ ପ୍ରଦାନ କରାଯାଇ ଦଣ୍ଡ ଦିଆଯିବା ଉଚିତ।
ଗୁଟେରେସ କହିଛନ୍ତି ଯେ ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଉଭୟ ଦେଶକୁ ସଂଯମତା ଅବଲମ୍ବନ କରିବା ଏବଂ ସାମରିକ ମୁକାବିଲାକୁ ଏଡାଇବା ଆବଶ୍ୟକ। ସେ ଜୋର ଦେଇ କହିଛନ୍ତି, ଉଭୟ ଦେଶ ପଛକୁ ହଟି ଆଲୋଚନା ପଥକୁ ଫେରିବା ପାଇଁ ସମୟ ଆସିଛି।
ଅଧିକ ପଢ଼ନ୍ତୁ: ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ କହିଲେ...