ଖବର ଓଡିଶା : 14/01/2023
ଆଜି ପବିତ୍ର ମକର ସଂକ୍ରାନ୍ତି | ଭାରତର ସବୁ ପ୍ରାନ୍ତରେ ଏହାକୁ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ । ମକର ସଂକ୍ରାନ୍ତି ହେଉଛି ଭଗବାନ ସୂର୍ଯ୍ୟଙ୍କ ଉପାସନାର ପର୍ବ, ଯାହା ଆମର ଭୌତିକ ଜୀବନରେ ନୂତନତ୍ଵ ଆଣି ଦେଇଥାଏ। ଏହି ଅବସରରେ ସାରା ରାଜ୍ୟ ଉତ୍ସବମୁଖର ହୋଇପଡ଼ିଛି। ପୂର୍ବଠାରୁ ପଶ୍ଚିମ ଓ ଉତ୍ତରରୁ ଦକ୍ଷିଣ ଓଡ଼ିଶା ଯାଏ ସବୁଠି ଭିନ୍ନ ଭିନ୍ନ ଢଙ୍ଗରେ ପାଳିତ ହେଉଛି ଏହି ପର୍ବ।
ସେପଟେ ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ଆଜି ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ମକର ନୀତି ଅନୁଷ୍ଠିତ ହେବ । ମକର ଚୌରାଅଶି ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ସେପଟେ ଆଜି ବଡଠାକୁରଙ୍କୁ ମକର ଚାଉଳ ଭୋଗ ଲାଗି କରାଯାଇଛି । ଗୁଡ଼ିଆମାନେ ଫେଣା, ଶାକର ଆଣି ମକର ଭୋଗ ପ୍ରସ୍ତୁତ କରିବେ। ଏହାସହିତ ମହାବାହୁଙ୍କ ଶ୍ରୀଚରଣରେ ବିଶ୍ୱର ସର୍ବବୃହତ ନଳୀ ପାନ ଅର୍ପଣ କରାଯିବାର ବିଧି ରହିଛି। ମହାପ୍ରଭୁଙ୍କ ମକରବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଅପରାହ୍ନରେ ଶ୍ରୀମନ୍ଦିରରେ ମକରବେଢା ନୀତି ସହ ଅନ୍ୟାନ୍ୟ ନୀତି ପାଳନ କରିବା ପାଇଁ ନୀତି ନିର୍ଘଣ୍ଟ ହୋଇଛି ।
ମକରକୁ ଗଣପର୍ବ ଭାବେ ପାଳନ କରିଥାନ୍ତି ମୟୂରଭଂଜ ଜିଲ୍ଲାର ଲୋକ । ଏଥିପାଇଁ ଘରେ ଘରେ ପିଠାପଣାର ଆସର । ପିଠା ପଣା ଖାଇ, ମାଦଳ ବାଜାର ତାଳେ ତାଳେ ନୃତ୍ୟ କରିବାକୁ ସମସ୍ତେ ପ୍ରସ୍ତୁତ ଅଛନ୍ତି । ସେହିପରି ଏଠାରେ କୁକୁଡ଼ା ଲଢେଇ ଓ ଲାଖ ବିନ୍ଧା ପ୍ରତିଯୋଗିତା ବି ଆୟୋଜିତ ହୋଇଥାଏ। ସେପଟେ ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ଜିଲ୍ଲା ଅଟ୍ରିର ହଟ୍ଟକେଶରଙ୍କ ପ୍ରସିଦ୍ଧ ମକର ଯାତ୍ରା ଆରମ୍ଭ ହୋଇଛି। ବିଶ୍ୱାସ ରହିଛି, ନିଃସନ୍ତାନ ମହିଳାମାନେ ମାନସିକ ରଖି ଏଠାରେ ଥିବା ମାନସିକ କୁଣ୍ଡରୁ ଗୁଆ ଖୋଜି ଖାଇଲେ ସେମାନଙ୍କର ସନ୍ତାନ ପ୍ରାପ୍ତି ହୋଇଥାଏ। ତେଣୁ ରାଜ୍ୟ ବାହାରୁ ମଧ୍ୟ ବହୁ ମହିଳା ଏଠାକୁ ଆସିଥାନ୍ତି।