ଆଜି ବିଶ୍ୱ ପାଳୁଛି ମାତୃ ଦିବସ । ସନ୍ତାନର ଜୀବନରେ ମାର ଅବଦାନ ମନେ ପକାଇ ମାଙ୍କ ପାଇଁ ଦିନଟିଏ ପାଳନ ହେଉଥିବା ବେଳେ ସଂସାରରେ ଅନେକ ପୁଅ ଅଛନ୍ତି ଯେଉଁମାନଙ୍କ ପାଇଁ ଆଉ ମାଙ୍କର ଆବଶ୍ୟକତା ନାହିଁ । ଏମିତି ଜଣେ ଅଲୋଡା ମା ହେଉଛନ୍ତି ଜଗତସିଂପୁର ଜିଲ୍ଲା ବାଲିପାଟଣା ଅଞ୍ଚଳର ରୁକ୍ମିଣୀ କୁଣ୍ଡୁ । ଦୁଇ ଦୁଇଟି ପୁଅକୁ ଜନ୍ମ କରିଥିଲେ ହେଁ ୭୫ ବର୍ଷ ବୟସ୍କା ରୁକ୍ମିଣୀ ଭୁବନେଶ୍ଵରର ଉତ୍କଳମଣି ଗୋପବନ୍ଧୁ ବୃଦ୍ଧାଶ୍ରମରେ ଭାଗ୍ୟକୁ ଆଦରି ପଡିଛନ୍ତି । ରୁକ୍ମିଣୀଙ୍କ ବଡ଼ ପୁଅ ବାଙ୍ଗାଲୋରରେ ନିଜ ପତ୍ନୀଙ୍କୁ ନେଇ ରହୁଥିବା ବେଳେ ସାନ ପୁଅ ନିଜ ପିଲାମାନଙ୍କ ସହିତ ଗାଁରେ ରହୁଛନ୍ତି । ଦୁଇଦୁଇଟି ଭେଣ୍ଡିଆ ପୁଅ ଥାଉ ଥାଉ ରୁକ୍ମୁଣୀଙ୍କ ସମୟ ଏବେ ଵୃଦ୍ଧାଶ୍ରମର ନିସଙ୍ଗ ପ୍ରକୋଷ୍ଠରେ ବିତୁଛି । କାହା ପ୍ରତି ଅଭିମାନ ନାହିଁ କି ଅଭିସଂପାତ ନାହିଁ । ଶେଷ ଆଶା ମୃତ୍ୟୁଶଯ୍ୟାରେ କିଭଳି ଟିକେ ନାତି ନାତୁଣୀଙ୍କ ମୁହଁ ଦେଖିବେ ।
ରୁକ୍ମୁଣୀଙ୍କୁ ଏବେ ୭୫ବର୍ଷ ବୟସ । ପରିଣତ ବୟସରେ ବି ସେ ନିଜ ନିତ୍ୟକର୍ମ ନିଜେ କରୁଥିଲେ ହେଁ ବିଭିନ୍ନ ପ୍ରକାର ରୋଗ ତାଙ୍କୁ ମାଡ଼ି ବସିଛି । ଆଣ୍ଠୁଗଣ୍ଠି ଯନ୍ତ୍ରଣା ସହିତ ସେ ସଂଘର୍ଷ କରୁଥିବା ବେଳେ ଔଷଧ ଯତ୍ନ ଓ ସାନ୍ତ୍ୱନା ଦେବା ପାଇଁ ନିଜର କେହି ନାହାନ୍ତି । ତଥାପି ସେ ଜୀବନ ପ୍ରତି ସକରାତ୍ମକ ଭାବନା ରଖି ଆସିଛନ୍ତି । ପୁଅ ମାନେ ଯେଉଁଠି ଥାଆନ୍ତୁ ଭଲରେ ଥାଆନ୍ତୁ ବୋଲି କଥାକଥାକେ ତାଙ୍କର ପାଟିରୁ ବାହାରୁଛି । ଵୃଦ୍ଧାଶ୍ରମକୁ ଆସିବା ତାଙ୍କର ୪ ମାସ ହେଲାଣି । ଏ ଚାରି ମାସ ଭିତରେ ପୁଅ,ବୋହୁ ନାତି ନାତୁଣୀ କେହି ତାଙ୍କୁ ଦେଖିବାକୁ ଆସିନାହାନ୍ତି । ବୃଦ୍ଧାଶ୍ରମର ପରିଚାଳକ ଙ୍କ କହିବାନୁସାରେ, ଏଠି ୧୦ରୁ ଅଧିକ ବୃଦ୍ଧା ରହୁଛନ୍ତି। ସମସ୍ତେ ପୁଅ-ବୋହୂଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଘର ଛାଡ଼ିଛନ୍ତି। ପିଲା-ଛୁଆଙ୍କୁ ଭାଳି ହୋଇ ଏମାନଙ୍କ ଆଖିଲୁହ ଆଖିରେ ଶୁଖିଯାଏ ସିନା, କିନ୍ତୁ କେବେ ତାଙ୍କ ପୁଅ-ବୋହୂ କି ସଂପର୍କୀୟ ସେମାନଙ୍କୁ ଘରକୁ ଫେରାଇ ନେବାକୁ ଏଠାକୁ ଆସନ୍ତି ନାହିଁ । ତେଣୁ ଜଣେ ମା’ କିମ୍ବା ବାପା ପାଇଁ ଜୀବନରେ ୟା’ଠୁ ବଳି ଦୁଃଖ ଆଉ କ’ଣ ଥାଇପାରେ।