ନୂଆଦିଲ୍ଲୀ: ୨୦୨୪ ଡିସେମ୍ବର ପହିଲାରୁ ଭାରତରେ ଅନେକ ନିୟାମକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି, ଯାହାର ପ୍ରଭାବ ବିଭିନ୍ନ କ୍ଷେତ୍ର ଉପରେ ପଡ଼ିବ। ନକଲି ଓଟିପିକୁ ରୋକିବା ପାଇଁ ଟ୍ରାଇ ପକ୍ଷରୁ ମଧ୍ୟ ସଂଶୋଧନ କରାଯିବ। ପ୍ରଶାସନ ଏବଂ ଉପଭୋକ୍ତା ନିରାପତ୍ତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ଅପଡେଟ୍ କରାଯାଇଛି। ଏଭଳି ସ୍ଥିତିରେ ଲୋକଙ୍କୁ ମଧ୍ୟ ଏହାକୁ ଆପଣାଇବାକୁ ପଡ଼ିବ। ପରିବର୍ତ୍ତନ ପରେ ୟୁଜର୍ସଙ୍କୁ ଓଟିପି ମିଳିବାରେ ବିଳମ୍ବ ହୋଇପାରେ ବୋଲି ଆଶଙ୍କା କରାଯାଉଥିଲା। ତେବେ ଏବେ ଟ୍ରାଇ ଏହାକୁ ମଞ୍ଜୁରି ଦେଇଛି।
ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଟେଲିକମ୍ କମ୍ପାନିଗୁଡ଼ିକୁ ମେସେଜ୍ ଟ୍ରେସେବିଲିଟି ପ୍ରଦାନ କରିବାକୁ କହିଛି। ଯାହାଦ୍ୱାରା ସନ୍ଦିଗ୍ଧ ଓଟିପି ଉପରେ ଲଗାମ ଲଗାଯାଇପାରିବ। କାରଣ, ଏହା ସ୍କାମର୍ସଙ୍କୁ ଲୋକଙ୍କ ଡିଭାଇସ୍ ଆକସେସ୍ ଦେଇଥାଏ ଏବଂ ସେମାନେ ବ୍ୟାପକ ଅର୍ଥନୈତିକ କ୍ଷତି ଘଟାଇଥାନ୍ତି।
ଏହି ନିର୍ଦ୍ଦେଶନାମା ପାଳନ କରିବାର ଶେଷ ତାରିଖ ନଭେମ୍ବର ୩୦, ୨୦୨୪ ରହିଛି। ଏହି ନିୟମ ଅନୁଯାୟୀ, ଟେଲିକମ୍ କଂପାନିଗୁଡ଼ିକ ସମସ୍ତ ମେସେଜ୍କୁ ଟ୍ରାକ୍ କରିବା ପାଇଁ ବ୍ୟବସ୍ଥା କରିବା ଆବଶ୍ୟକ। ପ୍ରାରମ୍ଭିକ ସମୟ ସୀମା ଅକ୍ଟୋବର ୩୧ ଥିଲା, କିନ୍ତୁ ସେବା ଅପରେଟରମାନଙ୍କ ଦାବି ପରେ ଟ୍ରାଇ ଏହାକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା। ଯଦି କଂପାନିଗୁଡ଼ିକ ଏହାକୁ ପାଳନ କରିବାରେ ବିଫଳ ହୁଅନ୍ତି। ତେଣୁ ଲୋକଙ୍କୁ ଓଟିପି ମିଳିବା ବନ୍ଦ ହୋଇପାରେ କିମ୍ବା ବିଳମ୍ବ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ତେବେ ଏବେ ଟ୍ରାଇ ଏହା ସ୍ପଷ୍ଟ କରିଛି।
ଡିସେମ୍ବର ପହିଲାରୁ ଆବଶ୍ୟକ ନେଟ୍ ବ୍ୟାଙ୍କିଂ ଏବଂ ଆଧାର ଓଟିପି ମେସେଜ୍ ଡେଲିଭରିରେ ବିଳମ୍ବ ହେବ ନାହିଁ ବୋଲି ଜନସାଧାରଣଙ୍କୁ ଆଶ୍ୱାସନା ଦେବା ପାଇଁ ଟ୍ରାଇ ଏକ ଅପଡେଟ୍ ଜାରି କରିଛି। ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଭୁଲ ଖବର ଉପରେ ପ୍ରତିକ୍ରିୟା ପ୍ରକାଶ କରି ଟ୍ରାଇ ସ୍ପଷ୍ଟ ଭାବେ କହିଛି ଯେ ମେସେଜର ଟ୍ରେସେବିଲିଟିରେ ଉନ୍ନତି ଆଣିବା ପାଇଁ ନୂଆ ନିୟମ କରାଯାଇଥିବାରୁ ମେସେଜକୁ ଠିକ୍ ସମୟରେ ପହଞ୍ଚାଇବା ଉପରେ କୌଣସି ପ୍ରଭାବ ପଡିବ ନାହିଁ।
ବିଗତ କିଛି ମାସ ମଧ୍ୟରେ ସାଇବର ଅପରାଧ, ବିଶେଷକରି ନକଲି କଲ୍ ଏବଂ ଜାଲିଆତି ମେସେଜ୍ର ମୁକାବିଲା ପାଇଁ ଟ୍ରାଇ ପ୍ରୟାସକୁ ଜୋରଦାର କରିଛି। ଏହି ଚିନ୍ତାକୁ ଦୂର କରିବା ପାଇଁ ଅକ୍ଟୋବର ୧ରେ ନୂଆ ନିୟମ ପ୍ରଣୟନ କରାଯାଇଥିଲା, ଯେଉଁଥିରେ ଟେଲିକମ୍ ପ୍ରୋଭାଇଡରମାନଙ୍କୁ ବଲ୍କ ମେସେଜର ଉତ୍ପତ୍ତି ଉପରେ ନଜର ରଖିବା ପାଇଁ ଏକ ସିଷ୍ଟମ ତିଆରି କରିବାକୁ ପଡିବ।