ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପ୍ରାୟ ୧୩ ହଜାର କୋଟିର ଠକେଇ ମାମଲାରେ ମେହୁଲ ଚୋକସିଙ୍କୁ ଭାରତ ପ୍ରତ୍ୟର୍ପଣର ପଥ ପରିଷ୍କାର ହୋଇଛି। ବେଲଜିୟମର ଏକ କୋର୍ଟ ପଳାତକ ବ୍ୟବସାୟୀ ମେହୁଲ ଚୋକସିଙ୍କ ପ୍ରତ୍ୟର୍ପଣକୁ ମଞ୍ଜୁରୀ ଦେଇଛନ୍ତି। ଅଦାଲତ ବେଲଜିୟମର ଅଧିକାରୀଙ୍କ ଦ୍ଵାରା ଚୋକସିଙ୍କ ଗିରଫଦାରୀଙ୍କୁ ମଧ୍ୟ ବୈଧ୍ୟ ବୋଲି କହିଛନ୍ତି।
ଏହି ମାମଲା ସହ ଜଡ଼ିତ ଜୈନକ ଅଧିକାରୀଙ୍କ ଅନୁଯାୟୀ, ଚୋକସିଙ୍କୁ ଭାରତ ଅଣାଯିବା ଦିଗରେ ଏହା ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ତେବେ ମେହୁଲ ଚୋକସିଙ୍କ ପାଖରେ ଏବେ ବି ନିଷ୍ପତ୍ତି ବିରୋଧରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେବାର ବିକଳ୍ପ ଖୋଲା ରହିଛି। ଏହାର ଅର୍ଥ ଏବେ ମେହୁଲ ଚୋକସିଙ୍କୁ ତୁରନ୍ତ ଭାରତ ଅଣା ଯାଇ ପାରିବ ନାହିଁ। କିନ୍ତୁ ପ୍ରଥମ ଏବଂ ବହୁତ ଗୁରୁତ୍ଵପୂର୍ଣ୍ଣ ପର୍ଯ୍ୟାୟ ପୂରା ହୋଇଛି।
ଏହା ପୂର୍ବରୁ ଏଣ୍ଟଓ୍ଵର୍ପର ଅଦାଲତ ଶୁକ୍ରବାର ଭାରତ ପକ୍ଷରୁ ବେଲଜିୟମର ଆବେଦନକାରୀ ଓ ଚୋକସିଙ୍କ ପକ୍ଷ ଶୁଣିଥିଲେ। ଏହା ପରେ ନିଷ୍ପତ୍ତିରେ ଗିରଫଦାରୀ ଓ ଭାରତର ପ୍ରତ୍ୟର୍ପଣ ଅନୁରୋଧ ସଂପୂର୍ଣ୍ଣ ବୈଧ୍ୟ ବୋଲି କୋର୍ଟ କହିଛନ୍ତି। ଉଲ୍ଲେଖନୀୟ ୬୫ ବର୍ଷୀୟ ଚୋକସିଙ୍କୁ ସିବିଆଇ ଦ୍ଵାରା ପଠାଯାଇଥିବା ପ୍ରତ୍ୟର୍ପଣ ଅନୁରୋଧ ଆଧାରରେ ଏପ୍ରିଲ ୧୧ରେ ଏଣ୍ଟଓ୍ଵର୍ପ ପୋଲିସ ଗିରଫ କରିଥିଲା। ସେ ଚାରି ମାସରୁ ଉର୍ଦ୍ଧ୍ଵ ସମୟ ହେବ ଜେଲରେ ଅଛନ୍ତି।
ଚୋକସି ହେରଫେର କରି ଆଣ୍ଟିଗୁଆ ଓ ବରବୁଡାକୁ ପଳାୟନ କରିଥିଲା। ଦୁର୍ନୀତିର ଖୁଲାସା ହେବାର ଅନେକ ମାସ ପୂର୍ବରୁ ସେ ସେଠାକାର ନାଗରିକତା ଗ୍ରହଣ କରି ସାରିଥିଲେ। ନିଜର ଗିରଫଦାରୀ ପରେ ଚୋକସି ବେଲଜିୟମର ଅଲଗା ଅଲଗା ଅଦାଲତରେ ଜାମିନ ପାଇଁ ଆବେଦନ କରିଥିଲେ। ମାତ୍ର ଏ ପର୍ଯ୍ୟନ୍ତ ତାଙ୍କର ସବୁ ଉଦ୍ୟମ ବିଫଳ ହୋଇଛି।
Also read: ସହରାଞ୍ଚଳ ମଧ୍ୟବିତ୍ତ ପରିବାରକୁ ମୋଦୀଙ୍କ ଭେଟି, ଅତିରିକ୍ତ ୧.୪୧ ଲକ୍ଷ ଘରକୁ ମିଳିଲା ମଞ୍ଜୁରି