ମାମୁନ (ପଠାନକୋଟ): ପଂଜାବର ପଠାନକୋଟ ଜିଲ୍ଲା ମାମୁନର ଫଗତୋଲିରେ ଗୁରୁବାର ରାତି ପ୍ରାୟ ୨ଟାରେ ପୁଣି ଜଣେ ସନ୍ଦିଗ୍ଧ ଚଳପ୍ରଚଳ କରୁଥିବା ସ୍ଥାନୀୟ ଲୋକେ ଦେଖିଛନ୍ତି। ତିନି ଜଣ ସନ୍ଦିଗ୍ଧ ବ୍ୟକ୍ତି ୩ଟି ସୁରକ୍ଷା ପାଚେରୀ ଡେଇଁ ଘର ଭିତରକୁ ପଶି ଖାଇବା ଓ ପିଇବା ମାଗିଥିବା ଜଣାପଡ଼ିଛି। ସଂପୃକ୍ତ ବ୍ୟକ୍ତି ଆତଙ୍କବାଦୀ ହୋଇଥାଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି। ପ୍ରାୟ ୩ ଘଣ୍ଟା ରହିବା ପରେ ସନ୍ଦିଗ୍ଧ ବ୍ୟକ୍ତିମାନେ ଜଙ୍ଗଲ ଭିତରକୁ ପଳାୟନ କରିଥିବା ଗ୍ରାମବାସୀ କହିଛନ୍ତି। ସନ୍ଦିଗ୍ଧ ବ୍ୟକ୍ତିମାନଙ୍କର ପାଦଚିହ୍ନକୁ ପୁଲିସ ରାସ୍ତାରୁ ଚିହ୍ନଟ କରିଛି।
ରାତିସାରା ଭୟରେ ଥିବା ପରିବାର ଲୋକେ ଏହି ଘଟଣା ନେଇ ପୁଲିସକୁ ସୂଚନା ଦେବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ମୋବାଇଲ ନେଟୱର୍କ ନଥିବାରୁ ସମ୍ଭବ ହୋଇପାରି ନଥିଲା। ତିନି ଦିନ ପୂର୍ବରୁ ମଧ୍ୟ ଜଣେ ମହିଳା ୭ ଜଣ ସନ୍ଦିଗ୍ଧଙ୍କୁ ଦେଖିଥିଲେ।
ଡିଏସ୍ପି (ସ୍ବତନ୍ତ୍ର ଶାଖା) ରବୀନ୍ଦ୍ର ସିଂହ କହିଛନ୍ତି, ପରିବାର ଲୋକଙ୍କ କହିବା ଅନୁସାରେ ୩ ଜଣ ସନ୍ଦିଗ୍ଧ କଳା ରଂଗର କପଡ଼ା ପିନ୍ଧିଥିଲେ ଏବଂ ଡୋଗରୀ ଭାଷାରେ କଥା ହେଉଥିଲେ। ଖୁଡଲୀ ମାତା ମନ୍ଦିର ନିକଟ ରହୁଥିବା ବଲଜୀତ ସିଂହ କହିଛନ୍ତି, ସେ ଗୁରୁବାର ରାତି ଘରେ ଶୋଇଥିଲେ। ରାତି ପାଖାପାଖି ୨ଟାରେ କିଛି ଲୋକ ପାଚେରୀ ଡେଇଁ ଘରେ ପଶିଥିଲେ। କବାଟରେ ଆଘାତ ଦେଇଥିଲେ। ସନ୍ଦିଗ୍ଧମାନେ କହିଥିଲେ, ଆମକୁ ଭୋକ ଓ ଶୋଷ ଲାଗୁଛି। ସଂପୃକ୍ତ ବ୍ୟକ୍ତି ନାଲି ରଂଗର ଲେଜର ଲାଇଟ୍ ଘରର ଝରକା ପାର୍ଶ୍ବରୁ ମାରିଥିଲେ। ସେଥି ପାଇଁ ଆମେ ଡରି ଯାଇଥିଲୁ। ସେନାର ହେଲିକପ୍ଟର ଉପର ଦେଇ ଯିବା ପରେ ସେମାନେ ସିଡି ତଳେ ଯାଇ ଲୁଚି ଯାଇଥିଲେ। ଭୋର ସକାଳ ସାଢ଼େ ୪ଟାରେ ଜଙ୍ଗଲ ଭିତରକୁ ପ୍ରବେଶ କରିଥିଲେ।