ପୂର୍ବ ଦିଲ୍ଲୀ: କାନାଡାରେ ପାଠପଢ଼ୁଥିବା ନୂଆଦିଲ୍ଲୀର ବିଜୟ ପାର୍କ ବାସିନ୍ଦା ତାନ୍ୟା ତ୍ୟାଗୀ (୨୬)ଙ୍କ ମୃତ୍ୟୁ ହୋଇଛି। ପରିବାର ଲୋକଙ୍କ କହିବା ଅନୁଯାୟୀ, ହୃଦଘାତ ଯୋଗୁଁ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। କାନାଡାରୁ ଛାତ୍ରୀଙ୍କ ମୃତଦେହ ଆଣିବା ପାଇଁ ଖର୍ଚ୍ଚ ୧୫ ଲକ୍ଷ ଟଙ୍କା। ତାନ୍ୟାଙ୍କ ମୃତଦେହ ଫେରାଇ ଆଣିବାରେ ସରକାରଙ୍କୁ ସାହାଯ୍ୟ କରିବାକୁ ପରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦର ଏବଂ ବୈଦେଶିକ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ମୃତଦେହ ଦିଲ୍ଲୀ ଆଣିବା ପାଇଁ ଏତେ ବିପୁଳ ପରିମାଣର ଟଙ୍କା ପରିବାର ପାଖରେ ନାହିଁ। ପରିବାର କହିଛନ୍ତି ଯେ ଛାତ୍ରୀଙ୍କ ମୃତ୍ୟୁ ପରେ ପାଞ୍ଚ ଦିନ ବିତିଗଲାଣି। ମୃତଦେହ ଆଣିବାକୁ କେତେ ସମୟ ଲାଗିବ ତାହା ଜଣାନାହିଁ।
ଉତ୍ତର ପୂର୍ବ ଦିଲ୍ଲୀର ସାଂସଦ ମନୋଜ ତିୱାରୀ ରବିବାର ଛାତ୍ରୀଙ୍କ ଘରେ ପହଞ୍ଚି ପରିବାରକୁ ସାନ୍ତ୍ୱନା ଦେଇଥିଲେ। ସାହାଯ୍ୟ ମଧ୍ୟ ଦେଇଥିଲେ। ମୃତକଙ୍କ ସମ୍ପର୍କୀୟ ଭାଇ ବିପୁଲ ତ୍ୟାଗୀ କହିଛନ୍ତି ଯେ ୨୦୨୩ ମସିହାରେ ତାଙ୍କ ଭଉଣୀ ତାନ୍ୟା ଆଲବର୍ଟ ବିଶ୍ୱବିଦ୍ୟାଳୟରେ ଖାଦ୍ୟ ପ୍ରଯୁକ୍ତିବିଦ୍ୟା ପଢ଼ିବା ପାଇଁ କାନାଡା ଯାଇଥିଲେ। ୧୮ ଜୁନରେ ତାନ୍ୟାଙ୍କ ବନ୍ଧୁମାନେ ପରିବାରକୁ ଫୋନ୍ କରି ଜଣାଇଥିଲେ ଯେ ତାନ୍ୟାଙ୍କର ମୃତ୍ୟୁ ହୋଇଛି। ପରିବାର କାନାଡାର ପ୍ରଶାସନ ସହିତ କଥା ହେବା ପରେ ଜଣାପଡିଥିଲା ଯେ ପ୍ରାରମ୍ଭିକ ତଦନ୍ତ ରିପୋର୍ଟରେ ହୃଦଘାତ ଯୋଗୁଁ ତାନ୍ୟାଙ୍କର ମୃତ୍ୟୁ ହୋଇଛି। ଶେଷ ରିପୋର୍ଟ ତିନି ମାସ ମଧ୍ୟରେ ଆସିବ। ତାଙ୍କ ଜନ୍ମଦିନ ୯ ଜୁଲାଇ ଥିଲା। ପରିବାର ସାଂସଦଙ୍କୁ କହିଥିଲେ ଯେ ମୃତଦେହ ଆଣିବା ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏଥିପାଇଁ ମଧ୍ୟ ଅତି କମରେ ୧୫ ଦିନରୁ ଅଧିକ ସମୟ ଲାଗୁଛି। ସେ କେନ୍ଦ୍ର ସରକାରଙ୍କୁ ଛାତ୍ରୀଙ୍କ ମୃତଦେହକୁ ଯଥାଶୀଘ୍ର ଦିଲ୍ଲୀ ଆଣିବାରେ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି। ପରିବାର କହିଛନ୍ତି ଯେ କାନାଡାରେ ସେମାନଙ୍କର କେହି ନାହାନ୍ତି। ସେମାନେ ଛାତ୍ରୀଙ୍କ ମୃତଦେହକୁ ଦିଲ୍ଲୀ ଆଣିବା ଏବଂ ଶେଷକୃତ୍ୟ କରିବାକୁ ଚାହାଁନ୍ତି।
ଅଧିକ ପଢ଼ନ୍ତୁ: ଆମେରିକାର ଆକ୍ରମଣ ପରେ ଜାତିସଂଘରେ ଜରୁରୀକାଳୀନ ବୈଠକ