ଭୁବନେଶ୍ୱର, ଜୁଲାଇ ୦୨ (ଖବର ଓଡ଼ିଶା): ଗତକାଲି ଶ୍ରୀଜିଉମାନଙ୍କ ବାହୁଡ଼ା ଯାତ୍ରା ଶେଷ ହେବା ପରେ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ସିଂହଦ୍ୱାର ସମ୍ମୁଖରେ ଛିଡ଼ା ହୋଇଛି । ଆଜି ସନ୍ଧ୍ୟାରେ ଶ୍ରୀଜିଉମାନଙ୍କର ରଥ ଉପରେ ସୁନା ବେଶ ଅନୁଷ୍ଠିତ ହେବ । ମହାପ୍ରଭୁ ମହଣ ମହଣ ସୁନା ଅଳଙ୍କାରରେ ଆଭୂଷିତ ହେବେ । ପ୍ରଭୁ ଶ୍ରୀଜଗନ୍ନାଥ ଭାଇ ବଳଭଦ୍ର ଓ ଭଉଣୀ ସଭଦ୍ରାଙ୍କ ସହିତ ରଥ ଉପରେ ରାତି ପର୍ଯ୍ୟନ୍ତ ଭକ୍ତଙ୍କୁ ସୁନା ବେଶରେ ଦର୍ଶନ ଦେବେ ।
ରଥ ଉପରେ ପ୍ରଭୁଙ୍କ ସୁନା ବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । କେବଳ ସମୟକୁ ଅପେକ୍ଷା । ଚଳିତ ବର୍ଷ ମହାମାରି କରୋନା ଭାଇରସ ଯୋଗୁଁ ସରକାର କୋଭିଡ-୧୯ ଗାଇଡଲାଇନ ଜାରି କରିଛନ୍ତି । ଫଳରେ ରଥ ସମ୍ମୁଖକୁ କୌଣସି ସାଧାରଣ ଭକ୍ତ ଯାଇପାରିବେ ନାହିଁ । ପ୍ରଶାସନ ତରଫରୁ ମହାପ୍ରଭୁଙ୍କ ସୁନାବେଶ ଟିଭି ମାଧ୍ୟମରେ ଦେଖିବା ପାଇଁ ଭକ୍ତଙ୍କୁ ଅନୁରୋଧ କରାଯାଇଛି ।
ତେବେ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଆଜି ସକାଳ ୫ଟାରୁ ଅପରାହ୍ନ ୩ଟା ଯାଏଁ କର୍ଫ୍ୟୁ କୋହଳ କରି ଦିଆଯାଇଛି । ଆଜି ଅପରାହ୍ନ ୩ଟାରୁ ରାତି ୧୦ଟା ଯାଏଁ କର୍ଫ୍ୟୁ ପୁଣି ଥରେ କୋହଳ ହେବ ବୋଲି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଗତକାଲି ସୂଚନା ଦେଇଥିଲେ । ସିଂହଦ୍ୱାର ସମ୍ମୁଖରେ ୩ ରଥ ଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଫଳରେ ମାର୍କେଟ ଛକ ଠାରୁ ସିଂହଦ୍ୱାର ଯାଏଁ କର୍ଫ୍ୟୁ ଜାରି ରହିବ ।