ଶ୍ରୀନଗର: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଫଳାଫଳ ଆସିବାର ୨୪ ଘଣ୍ଟା ବିତି ନଥିବା ବେଳେ ଆତଙ୍କବାଦୀମାନେ ଉତ୍ପାତ ଆରମ୍ଭ କରିଦେଇଛନ୍ତି। ନିର୍ବାଚନ ଫଳାଫଳ ନେଇ ଆତଙ୍କବାଦୀମାନେ ଏକ ପ୍ରକାରର ଖୁସି ପାଳନ କରୁଛନ୍ତି। ଆଗାମୀ ଦିନରେ ବଡ଼ଧରଣର କାଣ୍ଡ କରିବାକୁ ଏକ ପ୍ରକାର ପୂର୍ବାଭାସ ଦେଉଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆତଙ୍କବାଦୀମାନେ ସେନାର ୨ ଜଣ ଯବାନଙ୍କୁ ଅପହରଣ କରିଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି।
ରିପୋର୍ଟ ଅନୁସାରେ ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାର ସାଙ୍ଗୁସ୍ ଓ କୋକେରନାଗ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ଟେରିଟୋରିଆଲ ଆର୍ମିର ଦୁଇ ଜଣ ଯବାନଙ୍କୁ ଆତଙ୍କବାଦୀମାନେ ଅପହରଣ କରିଥିବା ଅଭିଯୋଗ ହୋଇଛି। ଏମାନଙ୍କ ମଧ୍ୟରୁ ଜଣେ ଯବାନ ଆହତ ଅବସ୍ଥାରେ ଆତଙ୍କବାଦୀଙ୍କ କବଳରୁ କୌଣସି ପ୍ରକାରେ ଖସି ପଳାଇବାରେ ସଫଳ ହୋଇଥିଲେ। ସେହିପରି ଆଉ ଜଣେ ଯବାନଙ୍କୁ ଆତଙ୍କବାଦୀମାନେ ବନ୍ଧକ ରଖିଥିବା ସୂଚନା ମିଳିଛି। ତାଙ୍କୁ ଉଦ୍ଧାର କରିବା ପାଇଁ ସୁରକ୍ଷାବାହିନୀ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି।
ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ଭୋଟ୍ ଗଣତି ଚାଲିଥିଲା। ଅନ୍ୟପକ୍ଷରେ ଏନସି-କଂଗ୍ରେସ ଓ ସିପିଆଇ(ଏମ୍) ମେଣ୍ଟ ୪୯ଟି ଆସନରେ ବିଜୟୀ ହୋଇଛି। ବିଜେପିକୁ ୨୯ଟି ଆସନ ମିଳିଛି। ନିର୍ବାଚନ ଫଳାଫଳ ମଧ୍ୟରେ ସେନାର ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଛି। ସେହି ସମୟରେ ଘଞ୍ଚ ଜଙ୍ଗଲରେ ଟେରିଟୋରିଆଲ ଆର୍ମିର ଦୁଇ ଜଣ ଯବାନ ପାଟ୍ରୋଲିଂ କରୁଥିଲେ। ଏହାପରେ ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରି ନେଇଥିଲେ।
ଅଧିକ ପଢ଼ନ୍ତୁ: ଗ୍ୱାଲିୟର-ରାୟବରେଲିରେ ଟ୍ରେନ୍ ଦୁର୍ଘଟଣା କରିବାକୁ ଉଦ୍ୟମ