ତିରୁଅନନ୍ତପୁରମ, ସେପ୍ଟେମ୍ବର ୨୯ (ଖବର ଓଡ଼ିଶା): ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଭାରତ ବୁଧବାର ବିଜୟୀ ହୋଇଛି । ତିରୁଅନନ୍ତପୁରମସ୍ଥିତ ଗ୍ରିନଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ହୋଇଥିବା ଏହି ମ୍ୟାଚରେ ଭାରତ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରି ୧୦୬ ରନ୍ ସଂଗ୍ରହ କରିଥିଲା ।
ଜବାବରେ ସୂର୍ଯ୍ୟକୁମାର ଯାଦବ ଓ କେଏଲ୍ ରାହୁଲଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ୨୦ଟି ବଲ୍ ଶେଷ ଥାଇ ୮ୱିକେଟ୍ରେ ବିଜୟ ହାସଲ କରିଥିଲା । ଏଥି ସହିତ ଭାରତ ୩ ମ୍ୟାଚର ଶୃଙ୍ଖଳାରେ ଏବେ ୧-୦ରେ ଅଗ୍ରଣୀ ରହିଛି । ପିଚ ଧୀମା ଥିବାରୁ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୮ଟି ୱିକେଟ ହରାଇ ୧୦୬ ରନ୍ ସଂଗ୍ରହ କରିଥିଲା ବେଳେ ଭାରତ ୧୬.୪ ଓଭରରେ ୨ଟି ୱିକେଟ ହରାଇ ୧୧୦ ରନ୍ କରିଥିଲା ।
ଭାରତର ପ୍ରାଥମିକ ବ୍ୟାଟର କେଏଲ୍ ରାହୁଲ ୫୬ଟି ବଲ୍ ଖେଳିଥିଲେ । ସେ ୨ଟି ଚୌକା ଓ ୪ଟି ଛକା ବଳରେ ବ୍ୟକ୍ତିଗତ ଭାବେ ଅପରାଜିତ ରହି ୫୧ ରନ୍ ସଂଗ୍ରହ କରିଥିଲେ । ଅଧିନାୟକ ରୋହିତ ଶର୍ମା ମାତ୍ର ୨ଟି ବଲ୍ ସାମ୍ନା କରି ପଡ଼ିଆରୁ ବିଦାୟ ନେଇଥିଲେ । ସେହିପରି ବିରାଟ କୋହଲିଙ୍କ ବ୍ୟାଟରୁ ମଧ୍ୟ ଆଶାନୁରୂପେ ରନ୍ ମିଳି ନ ଥିଲା । ବିରାଟ ୯ଟି ବଲ୍ ଖେଳି ମାତ୍ର ୩ ରନ୍ କରିଥିଲେ । ଯୁବ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ୩୩ଟି ବଲ୍ ଖେଳି ୫ଟି ଚୋøକା ଓ ୩ଟି ଛକା ବଳରେ ଅପରାଜିତ ୫୦ ରନ୍ ସଂଗ୍ରହ କରିଥିଲେ ।