ନାଗପୁର, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ୨ୟ ମ୍ୟାଚ ଆଜି (ଶୁକ୍ରବାର) ନାଗପୁରରେ ଖେଳାଯିବ । ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଆସୋସିଏସନ ଷ୍ଟାଡିୟମରେ ଏହି ମ୍ୟାଚ ରାତି ୭ଟାରୁ ଆରମ୍ଭ ହେବ । ପ୍ରଥମ ମୁକାବିଲାରେ ଭାରତ ପରାଜିତ ହୋଇଥିବାରୁ ଆଜିର ମ୍ୟାଚରେ ରୋହିତଙ୍କ ଟିମ୍ ନିଜର ତ୍ରୁଟି ସଂଶୋଧନ କରିବାକୁ ଚାହିଁବ । ଅପରପକ୍ଷେ ଅତିଥି ଟିମ୍ ନିଜର ବିଜୟ ଧାରାକୁ ଜାରି ରଖିବା ପାଇଁ ସମସ୍ତ ପ୍ରକାରର ଉଦ୍ୟମ କରିବ ।
ମୋହାଲିରେ ଖେଳାଯାଇଥିବା ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଭାରତକୁ ଅଷ୍ଟ୍ରେଲିଆ ୪ ୱିକେଟରେ ପରାସ୍ତ କରିଥିଲା । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୦୮ ରନ୍ ସଂଗ୍ରହ କରିଥିଲା । ଜବାବରେ କଙ୍ଗାରୁ ଟିମ୍ ୪ଟି ବଲ ଥାଇ ଲକ୍ଷ୍ୟ ହାସଲ କରିଥିଲା । ଏଥି ସହିତ ଅଷ୍ଟ୍ରେଲିଆ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ରହିଛି ।
ଟି-୨୦ ବିଶ୍ୱକପ-୨୦୨୨କୁ ଦୃଷ୍ଟିରେ ରଖି ଭାରତୀୟ ଟିମ୍ ପାଇଁ ଏହି ଶୃଙ୍ଖଳା ଗୁରୁତ୍ୱପୂର୍ଣ୍ଣ । ବିଶ୍ୱକପ ପୂର୍ବରୁ ଭାରତ ପାଇଁ ସବୁଠାରୁ ବଡ଼ ମସଲା ମଧ୍ୟ କ୍ରମର ଖେଳାଳିଙ୍କୁ ନେଇ । କାରଣ ମଧ୍ୟକ୍ରମରେ କମ୍ବିନେଶନ ଠିକ ରହିଲେ ଦଳ ଭଲ ପ୍ରଦର୍ଶନ କରିପାରିବ । ରୋହିତ ଶର୍ମା ଏହି ସମସ୍ୟାର ସମାଧାନ କରିବାକୁ ଯୋଜନା କରିଛନ୍ତି । ବିଶ୍ୱକପ ପୂର୍ବରୁ ଖେଳାଯିବାକୁ ଥିବା ଆହୁରି ୫ଟି ଟି-୨୦ ମ୍ୟାଚ ପାଇଁ ଯଦିଓ ବୋଲରଙ୍କୁ ବିଶ୍ରାମ ଦିଆଯାଇଥିଲା, ଭାରତ ଓଭରଅଲ ନିଜର ମଜବୁତ ଟିମ୍କୁ ଆଣିଛି । ଅଷ୍ଟ୍ରେଲିଆ ପରେ ଭାରତ ଅନ୍ୟ ୩ଟି ମ୍ୟାଚ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ ।