ନୂଆଦିଲ୍ଲୀ, ଜୁନ୍ ୨୪ (ଖବର ଓଡ଼ିଶା): ଭାରତ-ଆୟରଲାଣ୍ଡ ଟି-୨୦ ଶୃଙ୍ଖଳା ଚଳିତ ମାସ ୨୬ ତାରିଖ ଠାରୁ ଖେଳାଯିବ । ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ପୂର୍ବରୁ ଭାରତ ୨ଟି ଟି-୨୦ ମ୍ୟାଚ ଆୟରଲାଣ୍ଡରେ ଖେଳିବ । ଏଥି ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍ ଇଣ୍ଡିଆର ନେତୃତ୍ୱ ଦିଆଯାଇଛି । ଆୟରଲାଣ୍ଡ ବିପକ୍ଷ ଶୃଙ୍ଖଳାରେ ଭୁବନେଶ୍ୱର କୁମାର ଉପଅଧିନାୟକ ହେବେ । ଏହି ଗସ୍ତରେ ଜଣେ ଏଭଳି ଖେଳାଳିଙ୍କୁ ସୁଯୋଗ ମିଳିପାରେ, ଯିଏକି ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ସୁଯୋଗ ପାଇପାରି ନଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ଋଷଭ ପନ୍ତ ସେହି ଖେଳାଳିଙ୍କୁ ସୁଯୋଗ ଦେଇ ନଥିଲେ ।
ଚୟନକର୍ତ୍ତାମାନେ ଆୟରଲାଣ୍ଡ ବିପକ୍ଷରେ ଯୁବ କ୍ରିକେଟରଙ୍କୁ ସୁଯୋଗ ଦେଇଛନ୍ତି । ଏହି ତାଲିକାରେ ଯୁବ କ୍ରିକେଟର ଭେଙ୍କଟେଶ ଆୟରଙ୍କୁ ମଧ୍ୟ ସାମିଲ କରାଯାଇଛି । ଆୟର ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ଟି ଟି-୨୦ ମ୍ୟାଚ ଖେଳିବାକୁ ସୁଯୋଗ ପାଇପାରି ନଥିଲେ । କିନ୍ତୁ ଏଥର ତାଙ୍କୁ ଖେଳିବାକୁ ସୁଯୋଗ ମିଳିପାରେ ।
ଅପରପକ୍ଷେ ଭେଙ୍କଟେଶ ଆୟର ଏବେ ଭଲ ଫର୍ମରେ ନାହାନ୍ତି । ତାଙ୍କ ବ୍ୟାଟରୁ ରନ୍ ସଂଗ୍ରହ ହୋଇପାରୁ ନାହିଁ । କିନ୍ତୁ ଆୟର ଜଣେ ବିସ୍ଫୋରକ ବ୍ୟାଟର ଭାବେ ଜଣାଶୁଣା । ସେ ଟିମ୍ ଇଣ୍ଡିଆ ପାଇଁ ୧୧ଟି ମ୍ୟାଚ ଖେଳିଛନ୍ତି । ଏଥିରୁ ୯ଟିରେ ୧୩୩ ରନ୍ କରିଛନ୍ତି ଓ ୫ଟି ୱିକେଟ ନେଇଛନ୍ତି । ସେ ୨ଟି ଦିନିକିଆ ମ୍ୟାଚରେ ୨୪ ରନ୍ କରିଛନ୍ତି ।