ମୁମ୍ବାଇ: ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଘରେ ଗତ ୧୬ ତାରିଖ ରାତି ପ୍ରାୟ ସାଢ଼େ ୨ଟା ବେଳେ ହୋଇଥିବା ଆକ୍ରମଣକୁ ନେଇ ମୁମ୍ବାଇ ପୁଲିସ ରବିବାର ସକାଳେ ଏକ ସାମ୍ବାଦିକ ସମ୍ମିଳନୀ କରିଛି। ମୁମ୍ବାଇ ପୁଲିସର ଡିସିପି ଦୀକ୍ଷିତ ଗେଦାମ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ଥାନେରୁ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ତାଙ୍କ ନାମ ମହମ୍ମଦ ସରିଫୁଲ ଇସଲାମ ଶହଜାଦ ବୋଲି ଜଣାପଡ଼ିଛି। ପ୍ରାଥମିକ ତଦନ୍ତ ପରେ ଆମେ ପ୍ରମାଣ ପାଇଛୁ ଯେ ସନ୍ଦିଗ୍ଧ ବାଂଲାଦେଶୀ ବଂଶୋଦ୍ଭବ। ଆମେ ଖୁବ୍ ଶୀଘ୍ର ତାଙ୍କର ଡାକ୍ତରୀ ପରୀକ୍ଷା କରିବୁ ଏବଂ ତା'ପରେ ତାଙ୍କୁ କୋର୍ଟରେ ହାଜର କରିବୁ। ମୁମ୍ବାଇ ପୁଲିସ ସନ୍ଦିଗ୍ଧଙ୍କୁ ପଚରାଉଚରା ପାଇଁ କୋର୍ଟ ରିମାଣ୍ଡରେ ନେବ।
ଡିସିପି ଦୀକ୍ଷିତ ଗେଦାମ କହିଛନ୍ତି ଯେ ଅଭିଯୁକ୍ତଙ୍କ ପାଖରୁ ଭାରତର କୌଣସି ବୈଧ କାଗଜପତ୍ର ମିଳିନାହିଁ। ତେଣୁ ପୁଲିସ ତାଙ୍କ ବିରୋଧରେ ପାସପୋର୍ଟ ଆଇନର ସମ୍ପୃକ୍ତ ଧାରା ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରଖିଛି। ସେ ୫-୬ ମାସ ତଳେ ମୁମ୍ବାଇ ଆସି ଏକ ହାଉସ୍କିପିଂ ଏଜେନ୍ସିରେ କାମ କରୁଥିଲେ। ଅଭିଯୁକ୍ତ ଜଣକ ପୂର୍ବରୁ ସୈଫଙ୍କ ଘରକୁ ଯାଇଥିଲେ କି ବୋଲି ପଚରାଯିବାରୁ ଡିସିପି ଗେଦାମ କହିଛନ୍ତି ଯେ ବର୍ତ୍ତମାନ ଆମ ପାଖରେ ଏ ନେଇ କୌଣସି ଠୋସ୍ ସୂଚନା ନାହିଁ। ଚୋରି ଉଦ୍ଦେଶ୍ୟରେ ସେ ପ୍ରଥମ ଥର ପାଇଁ ସୈଫଙ୍କ ଘରେ ପ୍ରବେଶ କରିଥିଲେ ବୋଲି ଆମେ ବିଶ୍ୱାସ କରୁଛୁ।
ପଚରାଉଚରା ସମୟରେ ଅଭିଯୁକ୍ତ ଶାହଜାଦ ପୁଲିସକୁ କହିଛି ଯେ ସେ ଜାଣି ନଥିଲା ଯେ ସେ ସୈଫ ଅଲ୍ଲୀ ଖାନଙ୍କ ଘରେ ପ୍ରବେଶ କରୁଛି। ଅଭିଯୁକ୍ତ ଜଣକ କହିଛନ୍ତି ଯେ ତାଙ୍କର ଉଦ୍ଦେଶ୍ୟ କେବଳ ଚୋରି କରିବା ଏବଂ ସେଥିପାଇଁ ସେ ଘରେ ପଶିଥିଲେ। ହଠାତ୍ ସୈଫ୍ ଅଲ୍ଲୀ ଖାନ୍ ତାଙ୍କ ସାମ୍ନାରେ ଉପସ୍ଥିତ ହୋଇଥିଲା ଏବଂ ସେ ଅଭିନେତାଙ୍କୁ ଏକାଧିକ ଥର ଛୁରିରେ ଆକ୍ରମଣ କରି ଆହତ କରିଥିଲା। ମୁମ୍ବାଇ ପୁଲିସର କହିବା ଅନୁଯାୟୀ, ଅଭିଯୁକ୍ତଙ୍କର କୌଣସି ଅପରାଧିକ ଇତିହାସ ନାହିଁ। ପୁଲିସ ମହମ୍ମଦ ସରିଫୁଲ ଇସଲାମ୍ ସାହଜାଦଙ୍କ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରୁଛି ଏବଂ ଯଦି ସେ ବାଂଲାଦେଶୀ ନାଗରିକ ତେବେ ସେ କିପରି ଭାରତରେ ବେଆଇନ ପ୍ରବେଶ କରିଥିଲେ ତାହା ଜାଣିବାକୁ ଚେଷ୍ଟା କରୁଛି