ନୂଆଦିଲ୍ଲୀ: ରୁଷ୍ ନିର୍ମିତ ଗାଇଡେଡ୍ ମିସାଇଲ ଫ୍ରିଗେଟ୍ ଆଇଏନଏସ ତୁଶିଲ ସୋମବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ନୌସେନା ମୁଖ୍ୟ ଆଡମିରାଲ ଦୀନେଶ କେ ତ୍ରିପାଠୀ ଏବଂ ଅନ୍ୟ ବରିଷ୍ଠ ଭାରତୀୟ ଅଧିକାରୀଙ୍କ ଉପସ୍ଥିତିରେ ରୁଷିଆର ଉପକୂଳସହର କାଲିନିନଗ୍ରାଡରେ ଏହି ଜାହାଜକୁ ଭାରତୀୟ ନୌସେନାକୁ ହସ୍ତାନ୍ତର କରାଯାଇଛି।
ଆଇଏନଏସ ‘ତୁଶୀଲ’ର ଆଗମନ ଭାରତ ମହାସାଗରରେ ଭାରତୀୟ ନୌସେନାର ପରିଚାଳନା କ୍ଷମତା ଏବଂ ଶକ୍ତିକୁ ବହୁତ ବୃଦ୍ଧି କରିବ। ଗତ କିଛି ବର୍ଷ ହେବ ଏହି ଅଞ୍ଚଳରେ ଚୀନ୍ ନୌସେନା (ପିପୁଲ୍ସ ଲିବରେସନ୍ ଆର୍ମି)ର ଆକ୍ରମଣ ବଢ଼ିବାରେ ଲାଗିଛି। ୨୦୧୬ରେ ମସ୍କୋ ସହ ଦିଲ୍ଲୀ କରିଥିବା ୨.୫ ବିଲିୟନ ଡଲାର ଚୁକ୍ତି ଅନୁଯାୟୀ ଭାରତୀୟ ନୌସେନାକୁ ମିଳିଥିବା ୪ଟି ଯାଞ୍ଚ ଯୁଦ୍ଧ ଜାହାଜ ମଧ୍ୟରୁ ଏହି ଯୁଦ୍ଧ ଜାହାଜ ଅନ୍ୟତମ।
ଏହି ଚୁକ୍ତି ଅନୁଯାୟୀ ରୁଷିଆରେ ଦୁଇଟି ଜାହାଜ ନିର୍ମାଣ ହେବାକୁ ଥିବା ବେଳେ ଅନ୍ୟ ଦୁଇଟି ଭାରତରେ ନିର୍ମାଣ ହେବ। ସମୁଦ୍ରରେ ଭାରତର ବଢୁଥିବା ସାମର୍ଥ୍ୟର ଏହା ଏକ ଗର୍ବିତ ମୁହୂର୍ତ୍ତ ଏବଂ ଋଷ ସହ ଦୀର୍ଘମିଆଦୀ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହି ଜାହାଜ ରୁଷିଆ ଏବଂ ଭାରତୀୟ ଶିଳ୍ପର ମିଳିତ ଦକ୍ଷତାର ଏକ ବଡ଼ ପ୍ରମାଣ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ସାଇବର ସିକ୍ୟୁରିଟି, ମହାକାଶ ଅନୁସନ୍ଧାନ ଏବଂ ଆତଙ୍କବାଦ ମୁକାବିଲା କ୍ଷେତ୍ରରେ ପରସ୍ପରର ଦକ୍ଷତାକୁ ଆଧାର କରି ଭାରତ ଓ ରୁଷ୍ ଏବେ ସହଯୋଗର ଏକ ନୂଆ ଯୁଗଆରମ୍ଭ କରିବେ।
୧୨୫ ମିଟର ଲମ୍ବବିଶିଷ୍ଟ ଏହି ଜାହାଜର ଓଜନ ୩୯୦୦ ଟନ୍ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ନିର୍ମାଣର ସର୍ବୋତ୍ତମ ମାନଦଣ୍ଡକୁ ଦୃଷ୍ଟିରେ ରଖି ଏହାକୁ ନିର୍ମାଣ କରାଯାଇଛି। ଏହାର ନୂତନ ଡିଜାଇନ୍ ଜାହାଜର ନିରୀକ୍ଷଣ ବୈଶିଷ୍ଟ୍ୟ ଏବଂ ସ୍ଥାୟୀତ୍ୱକୁ ଅଧିକ ଶକ୍ତିଶାଳୀ କରିଥାଏ । କାଲିନିନଗ୍ରାଦରେ ଜାହାଜ ନିର୍ମାଣ ଉପରେ ଭାରତୀୟ ବିଶେଷଜ୍ଞଙ୍କ ଏକ ଟିମ୍ ନିରନ୍ତର ନଜର ରଖିଥିଲେ।
ଆଇଏନଏସ ତୁଶୀଲର ବୈଶିଷ୍ଟ୍ୟ
-ଏହା ରୁଷୀୟ କ୍ରିଭାକ୍ ଶ୍ରେଣୀର ତୃତୀୟ ପିଢ଼ିର ଏକ ଅତ୍ୟାଧୁନିକ ଯୁଦ୍ଧ ଜାହାଜ
-ଏହି ଯୁଦ୍ଧ ଜାହାଜରେ ୟୁକ୍ରେନର ଜୋରିଆ ନାଶପୁରର ଇଞ୍ଜିନ ରହିଛି
-ଏହାର କୋଡ୍ ନାମ ପ୍ରୋଜେକ୍ଟ ୧୧୩୫.୬ ରଖାଯାଇଛି
-ଏଥିରେ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ରହିଛି
-ଲମ୍ବା ଦୂରତା ବିଶିଷ୍ଟ ଭୂପୃଷ୍ଠରୁ ଆକାଶରେ କ୍ଷେପଣାସ୍ତ୍ର
-ଅତ୍ୟାଧୁନିକ ମଧ୍ୟମ ଦୂରତା ବିଶିଷ୍ଟ ବାୟୁ ଓ ଭୂପୃଷ୍ଠ କ୍ଷେପଣାସ୍ତ୍ର
-ଅତ୍ୟାଧୁନିକ ରାଡାର ଏଡାଇବାର ବୈଶିଷ୍ଟ୍ୟ
-ନିକଟ ଟାର୍ଗେଟ ପାଇଁ ଅପ୍ଟିକାଲି ନିୟନ୍ତ୍ରିତ ରାପିଡ୍ ଫାୟାର ଗନ୍
-ବୁଡ଼ାଜାହାଜ ନିରୋଧୀ ଟର୍ପିଡୋ ଏବଂ ରକେଟ୍
-ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ ଯୁଦ୍ଧ ଓ ଯୋଗାଯୋଗ ବ୍ୟବସ୍ଥା
-ଅତ୍ୟାଧୁନିକ ଗ୍ୟାସ୍ ଟର୍ବାଇନ୍ ପ୍ରୋପଲସନ୍ ପ୍ଲାଣ୍ଟରେ ସଜ୍ଜିତ
-୩୦ ନଟ୍ ପର୍ଯ୍ୟନ୍ତ ଯିବାର କ୍ଷମତା
-ଏହାର ଶ୍ରେଣୀରେ ସର୍ବୋତ୍ତମ ନିୟନ୍ତ୍ରଣ
ଅଧିକ ପଢ଼ନ୍ତୁ: ୩ଟି ଏୟାରବେସ୍ ଉପରେ ବୋମାମାଡ଼