ମୁମ୍ବାଇ: ମୁମ୍ବାଇରେ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ନୂଆ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମୁଦ୍ରାନୀତି କମିଟି (ଏମ୍ ପିସି)ର ପ୍ରଥମ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଶୁକ୍ରବାର ସକାଳେ ଘୋଷଣା କରାଯିବ। ପାଖାପାଖି ୫ ବର୍ଷ ପରେ ଏମ୍ ପିସି ରେପୋ ରେଟ୍ରେ ୦.୨୫ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଦୁଇ ବର୍ଷ ଧରି ରେପୋ ରେଟ୍ ୬.୫୦ ପ୍ରତିଶତରେ ସ୍ଥିର ରହିଛି। କୋଭିଡ୍ ମହାମାରୀ ସମୟରେ ରିଜର୍ଭ ବ୍ୟାଙ୍କ ଶେଷ ଥର ପାଇଁ ମେ ୨୦୨୦ରେ ରେପୋ ରେଟ୍ ୦.୪୦ ପ୍ରତିଶତ ହ୍ରାସ କରି ୪ ପ୍ରତିଶତ କରିଥିଲା। ଏହାପରେ ରୁଷିଆ-ୟୁକ୍ରେନ ଯୁଦ୍ଧର ବିପଦର ମୁକାବିଲା ପାଇଁ ରିଜର୍ଭ ବ୍ୟାଙ୍କ ମେ ୨୦୨୨ରେ ସୁଧ ହାର ବୃଦ୍ଧି କରିବା ଆରମ୍ଭ କରିଥିଲା ଏବଂ ଫେବ୍ରୁଆରି ୨୦୨୩ରେ ଏହି ଧାରା ବନ୍ଦ ହୋଇଯାଇଥିଲା। ମୁଦ୍ରାନୀତି ଉପରେ ନିଆଯାଇଥିବା ନିଷ୍ପତ୍ତିରେ ରେପୋ ରେଟ୍ ହ୍ରାସ କରାଯିବ ବୋଲି ଆଶା କରାଯାଉଛି।
ଡିବିଏସ୍ ଗ୍ରୁପ୍ ରିସର୍ଚ୍ଚର ବରିଷ୍ଠ ଅର୍ଥନୀତିଜ୍ଞ ରାଧିକା ରାଓ କହିଛନ୍ତି, ଆମେ ଆଶା କରୁଛୁ ଯେ ଏମ୍ ପିସି ରେପୋ ରେଟ୍ ୦.୨୫ ପ୍ରତିଶତ ହ୍ରାସ କରି ଏହାକୁ ୬.୨୫ ପ୍ରତିଶତକୁ ଆଣିବା ସପକ୍ଷରେ ଭୋଟ୍ ଦେବ। ବୈଶ୍ୱିକ ଗବେଷଣା ସଂସ୍ଥା ବ୍ୟାଙ୍କ ଅଫ୍ ଆମେରିକା ଗ୍ଲୋବାଲ ରିସର୍ଚ୍ଚ ମଧ୍ୟ କହିଛି ଯେ ଉଭୟ ଅର୍ଥନୈତିକ ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତି ର ତଥ୍ୟ ମୁଦ୍ରା ସ୍ଥିତିକୁ କୋହଳ କରିବାର ଆବଶ୍ୟକତାକୁ ସୂଚାଇଥାଏ । ସୁଧ ହାର୦.୨୫ ପ୍ରତିଶତ ହ୍ରାସ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି।
ଶିଳ୍ପ ସଂଗଠନ ଆସୋଚାମ୍ ମଧ୍ୟ କହିଛି ଯେ ନୀତି ହାର୬.୨୫ ପ୍ରତିଶତକୁ ହ୍ରାସ କରିବା ପାଇଁ ବ୍ୟାପକ ଆଶା ରହିଛି। ଏସବିଆଇ ରିସର୍ଚ୍ଚର ଏକ ରିପୋର୍ଟ ରୁ ଜଣାପଡିଛି ଯେ ମୁଦ୍ରା ସମୀକ୍ଷାରେ ସୁଧ ହାରରେ ୦.୨୫ ପ୍ରତିଶତ ହ୍ରାସ ଆଶା କରାଯାଉଛି । ୟେସ୍ ସିକ୍ୟୁରିଟିଜ୍ର କାର୍ଯ୍ୟନିର୍ବାହୀ ନିର୍ଦେଶକ ଅମର ଅମ୍ବାନୀ କହିଛନ୍ତି, ଆମେ ଏହି ବୈଠକରେ ଆରବିଆଇଠାରୁ ସୁଧ ହାର ହ୍ରାସ ଆଶା କରୁନାହୁଁ। ବାସ୍ତବରେ ଏହି ସ୍ତରରେ ସୁଧ ହାର ହ୍ରାସ ପାଇଁ ବିଶ୍ୱ ପରିସ୍ଥିତି ପ୍ରତିକୂଳ ରହିଛି।
ଅଧିକ ପଢ଼ନ୍ତୁ: ଅନଲାଇନରେ ମିଳିବ କାର୍, ଘର ପାଖରେ ପହଁଚାଇବ ଜେପ୍ଟୋ