ଅମୃତସର: ଭାରତ ଏବଂ ପାକିସ୍ତାନ ଶନିବାର ସନ୍ଧ୍ୟାରେ ଯୁଦ୍ଧବିରତି ଘୋଷଣା କରିଛନ୍ତି। ତଥାପି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପଞ୍ଜାବରେ ଏବେ ବି ରେଡ୍ ଆଲର୍ଟ ବଳବତ୍ତର ରହିଛି। ଅମୃତସରର ଡେପୁଟି କମିଶନର କହିଛନ୍ତି ଯେ ଅମୃତସରରେ ବ୍ଲାକଆଉଟ୍ ଶେଷ ହୋଇଛି। ପୋଲିସ ଏ ସମ୍ପର୍କରେ ନିର୍ଦ୍ଦେଶାବଳୀ ଜାରି କରିଛି। ଡିସି କହିଛନ୍ତି "ଆମେ ଆପଣଙ୍କ ସୁବିଧା ପାଇଁ ବିଦ୍ୟୁତ୍ ଯୋଗାଣ ପୁନଃସ୍ଥାପିତ କରିଛୁ, କିନ୍ତୁ ଆମେ ଏବେ ବି ରେଡ୍ ଆଲର୍ଟରେ ଅଛୁ। ଏବେ ସାଇରନ୍ ବାଜିବ, ଯାହା ରେଡ୍ ଆଲର୍ଟକୁ ସୂଚାଇବ।"
ଡିସି ଲୋକଙ୍କୁ ନିବେଦନ କରିଛନ୍ତି, "ଦୟାକରି ଘରୁ ବାହାରକୁ ପାଦ ଦିଅନ୍ତୁ ନାହିଁ; ଘର ଭିତରେ ରୁହନ୍ତୁ ଏବଂ ଝରକା ପାଖରୁ ଦୂରରେ ରୁହନ୍ତୁ। ଆମେ ସବୁଜ ସଙ୍କେତ ପାଇଲେ, ଆମେ ଆପଣଙ୍କୁ ଜଣାଇବୁ। ଦୟାକରି ନିୟମ ପାଳନ ନିଶ୍ଚିତ କରନ୍ତୁ ଏବଂ ଭୟଭୀତ ହୁଅନ୍ତୁ ନାହିଁ।" ରବିବାର ସକାଳୁ ଅମୃତସର ଡିସି ଏହି ବିବୃତ୍ତି ଜାରି କରିଛନ୍ତି।
ଡେପୁଟି କମିଶନର ଅମୃତସର ସକାଳ ୪ଟା ୩୯ରେ ଜାରି କରିଥିବା ନିର୍ଦ୍ଦେଶାବଳୀରେ କହିଛନ୍ତି, "ଅତିରିକ୍ତ ସତର୍କତା ସ୍ୱରୂପ, ଦୟାକରି ଲାଇଟ୍ ବନ୍ଦ କରି ଘର ଭିତରେ ରୁହନ୍ତୁ ଏବଂ ଝରକା ଠାରୁ ଦୂରେଇ ରୁହନ୍ତୁ। ରାସ୍ତା, ବାଲକୋନି କିମ୍ବା ଟେରାସକୁ ଯାଆନ୍ତୁ ନାହିଁ ଏବଂ ଭୟଭୀତ ହୁଅନ୍ତୁ ନାହିଁ। ଆମେ କେବେ ସାଧାରଣ କାର୍ଯ୍ୟକଳାପ ଆରମ୍ଭ କରିପାରିବୁ ତାହା ଆମେ ଆପଣଙ୍କୁ କହିବୁ।
ହେଲ୍ପଲାଇନ୍ ନମ୍ବର ଜାରି
କେବଳ ଏତିକି ନୁହେଁ, ସାଧାରଣ ଲୋକଙ୍କ ସୁବିଧା ପାଇଁ ଅମୃତସର ପୋଲିସ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରିଛି। ଅମୃତସର ଡିସି ସୂଚନା ଦେଇଛନ୍ତି ଯେ ଯେକୌଣସି ସ୍ପଷ୍ଟୀକରଣ ପାଇଁ ଏହି ନମ୍ବରଗୁଡ଼ିକରେ ଯୋଗାଯୋଗ କରନ୍ତୁ:
- - ସିଭିଲ୍ କଣ୍ଟ୍ରୋଲ୍ ରୁମ୍: ୦୧୮୩୨୨୨୬୨୬୨, ୭୯୭୩୮୬୭୪୪୬;
- -ପୋଲିସ ନିୟନ୍ତ୍ରଣ କକ୍ଷ: ସହର ୯୭୮୧୧୩୦୬୬୬, ୯୭୮୦୦୦୩୩୮୭ (ଗ୍ରାମାଞ୍ଚଳ)
ଶନିବାର ରାତି ପ୍ରାୟ ୯ଟାରେ, ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରି ସୀମାରେ ଗୁଳିଚାଳନା ଆରମ୍ଭ କରିଦେଇଥିଲା। ଏହା ପରେ, ଅମୃତସର ସମେତ ପଞ୍ଜାବର ସମସ୍ତ ସୀମାନ୍ତ ଜିଲ୍ଲାଗୁଡ଼ିକରେ ସତର୍କ ସୂଚନା ଜାରି କରାଯାଇଥିଲା ଏବଂ ପୁଣି ଥରେ ବ୍ଲାକଆଉଟ୍ ଜାରି କରାଯାଇଥିଲା। ପ୍ରଶାସନ ନିଶ୍ଚିତ କରିଛି ଯେ ଅମୃତସରର ବାୟୁସେନା ଘାଟି ସମେତ କୌଣସି ସ୍ଥାନରେ ଆକ୍ରମଣ ହୋଇନାହିଁ, ତେଣୁ ଗୁଜବରୁ ଦୂରେଇ ରୁହନ୍ତୁ।
ଅଧିକ ପଢ଼ନ୍ତୁ: ମେ’ ୧୫ରୁ ପୁଣି ଆରମ୍ଭ ହେବ ଆଇପିଏଲ୍-୨୦୨୫!