ନୂଆଦିଲ୍ଲୀ/ହାଇଦ୍ରାବାଦ୍, ଜୁଲାଇ ୦୨ (ଖବର ଓଡ଼ିଶା): ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆଜିଠାରୁ ଆରମ୍ଭ ହେବ । ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦ୍ରେ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଏହି ବୈଠକ ଜାରି ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଗୃହମନ୍ତ୍ରୀ ଅମିତ ଶାହ, ଦଳୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ବୈଠକରେ ଯୋଗଦେବେ । ଏତଦ୍ ବ୍ୟତୀତ ତେଲେଙ୍ଗାନାର ଅନ୍ୟ ବରିଷ୍ଠ ବିଜେପି ନେତା ମଧ୍ୟ ବୈଠକରେ ଅଂଶଗ୍ରହଣ କରିବେ ।
ସୂଚନାଯୋଗ୍ୟ, ୫ବର୍ଷର ବ୍ୟବଧାନ ପରେ ବିଜେପିର କାର୍ଯ୍ୟକାରିଣୀ ବୈଠକ ଜାତୀୟ ରାଜଧାନୀ ନୂଆଦିଲ୍ଲୀ ବାହାରେ ଆୟୋଜନ ହେଉଛି । ଭାରତୀୟ ଜନତା ପାର୍ଟି ୨୦୧୪ରେ କେନ୍ଦ୍ରରେ କ୍ଷମତା ହାସଲ କରିବା ପରେ ଦକ୍ଷିଣ ଭାରତରେ ୩ୟ ଥର ପାଇଁ ଦଳୀୟ କାର୍ଯ୍ୟକାରିଣୀ ବୈଠକର ଆୟୋଜନ କରୁଛି ।
ପୂର୍ବରୁ ୨୦୧୫ରେ କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୁରୁ ଓ ୨୦୧୬ରେ କେରଳର କୋଝିକୋଡରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଦଳର ସଦସ୍ୟତା ଓ ଲୋକପ୍ରିୟତା ବଢ଼ିଥିବା ସମୟରେ ହାଇଦ୍ରାବାଦ୍ ଠାରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଆୟୋଜନ କରୁଛି ।