ଶ୍ରୀନଗର: ଉତ୍ତର କଶ୍ମୀରର କୁପୱାଡା ଜିଲ୍ଲାରେ ଦୁଇ ବର୍ଷ ପୂର୍ବରୁ ଜଣେ ପୋଲିସ କନଷ୍ଟେବଳ ଖୁର୍ସିଦ ଅହମ୍ମଦ ଚୌହାନଙ୍କୁ ଅମାନବୀୟ ନିର୍ଯାତନା ଦେବା ଅଭିଯୋଗରେ ସିବିଆଇ ଛଅ ଜଣ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ଗିରଫ କରିଛି। ଏଥିରେ ଜଣେ ଡିଏସପି ଏବଂ ଜଣେ ସବ-ଇନସ୍ପେକ୍ଟର ସାମିଲ ଅଛନ୍ତି। ଚଳିତ ବର୍ଷ ଜୁଲାଇରେ, ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ପୀଡିତ ପୋଲିସ କନଷ୍ଟେବଳ ଚୌହାନଙ୍କୁ ତାଙ୍କ ମୌଳିକ ଅଧିକାର ଉଲ୍ଲଂଘନ ପାଇଁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ସିବିଆଇକୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିଲା। ସୂତ୍ର ଅନୁଯାୟୀ, ଏହି ମାମଲାରେ ଆବଶ୍ୟକ ପ୍ରମାଣ ସଂଗ୍ରହ କରିବା ପରେ ସିବିଆଇ ଅଭିଯୁକ୍ତ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ଗିରଫ କରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ, ସିବିଆଇ ଜୁଲାଇ ୨୮ରେ ଏକ ଏଫଆଇଆର ପଞ୍ଜିକୃତ କରିଥିଲା।
ଏଥିରେ ଡିଏସପି ଏଜାଜ ଅହମ୍ମଦ ନାଇକୁ, ସବ ଇନ୍ସପେକ୍ଟର ରିଆଜ ଅହମ୍ମଦ ଏବଂ ଚାରି ଜଣ କନଷ୍ଟେବଳ ଜାହାଙ୍ଗୀର ଅହମ୍ମଦ, ଇମତିଆଜ ଅହମ୍ମଦ, ମହମ୍ମଦ ୟୁନିସ ଏବଂ ଶାକିର ଅହମ୍ମଦଙ୍କ ନାମ ନିଆଯାଇଥିଲା। ସେମାନେ ଛଅ ଦିନ ପାଇଁ ହାଜତରେ କନଷ୍ଟେବଳ ଖୁର୍ସିଦ ଅହମ୍ମଦ ଚୌହାନଙ୍କୁ ନିର୍ମମ ଏବଂ ଅମାନବୀୟ ନିର୍ଯାତନା ଦେବାର ଅଭିଯୋଗରେ ଅଭିଯୁକ୍ତ।
ଏହି ମାମଲା ଫେବୃଆରୀ ୨୦୨୩ରେ ଉତ୍ତର କଶ୍ମୀରରେ ପୋଲିସ ଦ୍ୱାରା ଏକ ନାର୍କୋ ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ ସହିତ ଜଡିତ। ମଡ୍ୟୁଲର ଅନ୍ୟ ସଦସ୍ୟଙ୍କ ପଚରାଉଚରା ଆଧାରରେ ପୋଲିସ କନଷ୍ଟେବଳ ଖୁର୍ସିଦ ଅହମଦଙ୍କୁ ଗିରଫ କରିଥିଲା। କନଷ୍ଟେବଳ ଅଭିଯୋଗ କରିଥିଲେ ଯେ ତାଙ୍କୁ ହାଜତରେ ଅପରାଧ ସ୍ୱୀକାର କରିବା ପାଇଁ ନିର୍ଯାତନା ଦିଆଯାଇଥିଲା ଏବଂ ତାଙ୍କର ଗୁପ୍ତାଙ୍ଗ କାଟି ଦିଆଯାଇଥିଲା। ସେ କହିଥିଲେ ଯେ ସେ ସେତେବେଳେ ବାରାମୁଲ୍ଲା ଜିଲ୍ଲା ପୋଲିସ ଲାଇନରେ ନିଯୁକ୍ତ ଥିଲେ ଏବଂ କୁପୱାଡା ଜେଆଇସିରେ ତାଙ୍କୁ ନିର୍ଯାତନା ଦିଆଯାଇଥିଲା। ଏହି ମାମଲାରେ, ପୀଡିତାଙ୍କ ପତ୍ନୀ ପ୍ରଥମେ କୁପୱାଡାରେ ପୋଲିସର ଦ୍ୱାରସ୍ଥ ହୋଇଥିଲେ ଏବଂ ପରେ ଜମ୍ମୁ କଶ୍ମୀର ହାଇକୋର୍ଟରେ ଏକ ଆବେଦନ ଦାୟର କରିଥିଲେ।
ଅଧିକ ପଢ଼ନ୍ତୁ: ପାକିସ୍ତାନୀ ଏଜେଣ୍ଟଙ୍କୁ ସେନା ଶିବିରର ଫଟୋ ପଠାଇଥିଲା ଦେବେନ୍ଦ୍ର