ପ୍ୟାରିସ୍: ପ୍ୟାରିସ ଅଲିମ୍ପିକ୍ସ-୨୦୨୪ର ଉଦ୍ଘାଟନୀ ସମାରୋହ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ। ଏହି କ୍ରୀଡ଼ା ମହାକୁମ୍ଭ ଦୁଇ ଦିନ ପୂର୍ବରୁ ଆରମ୍ଭ ହୋଇ ସାରିଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ଭବ୍ୟ ଆୟୋଜନ ସହିତ ଉଦ୍ଘାଟନ କରାଯିବ। ଏହି ଉତ୍ସବ ଅଲିମ୍ପକ୍ସ ଇତିହାସର ସବୁଠୁ ବଡ଼ ଅଲିମ୍ପିକ୍ସ ସମାରୋହକୁ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଅବସରରେ ଆୟୋଜିତ ରଂଗାରଂଗ କାର୍ଯ୍ୟକ୍ରମରେ ବିଶ୍ବର ଜଣାଶୁଣା କଳାକାର ଯୋଗଦେବାର କାର୍ଯ୍ୟକ୍ରମ ରହିଛି, ଯେଉଁଥିରେ ଷ୍ଟାର ଲେଡି ଗାଗାଙ୍କ ନାମ ମଧ୍ୟ ସାମିଲ।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅଲିମ୍ପିକର ଉଦ୍ଘାଟନୀ ସମାରୋହରେ ପ୍ରସିଦ୍ଧ ଗାୟିକା ଓ ଅଭିନେତ୍ରୀ ଲେଡି ଗାଗାଙ୍କ ପ୍ରସ୍ତୁତି ଦେଖିବାକୁ ମିଳିପାରେ। ମାତ୍ର ଏହି କାର୍ଯ୍ୟକ୍ରମରେ ପ୍ରସ୍ତୁତି ଦେବାକୁ ଥିବା ଅଧିକାଂଶ ତାରକାଙ୍କ ତାଲିକା ସାର୍ବଜନିନ କରାଯାଇ ନାହିଁ। ରିପୋର୍ଟ ଅନୁସାରେ ଲେଡି ଗାଗାଙ୍କ ସହିତ ପ୍ରସିଦ୍ଧ ଗାୟକ ସେଲିନ ଡିୟୋନ ମଧ୍ୟ ପ୍ରସ୍ତୁତି ଦେଇପାରନ୍ତି। ସେଲିନ ଓ ଲେଡି ଗାଗାଙ୍କୁ ପ୍ୟାରିସରେ ବୁଲୁଥିବାର ଦଖୋଯାଇଛି।
ସ୍ଥାନୀୟ ସମୟ ଅନୁସାରେ ଉଦ୍ଘାଟନୀ ସମାରୋହ ଆଜି ସନ୍ଧ୍ୟା ୭ଟାରେ ଆୟୋଜନ ହେବ। ଭାରତୀୟ ସମୟ ଅନୁସାରେ ଏହି ସମାରୋହର ଆରମ୍ଭ ରାତି ୧୧ଟାରେ ହେବ। ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ଏହି ଉଦ୍ଘାଟନୀ ସମାରୋହ କୌଣସି ଷ୍ଟାଡିୟମରେ ହେବ ନାହିଁ। ଏହା ନଦୀରେ କରାଯିବ। ସବୁବେଳେ ଖେଳାଳିମାନେ ନିଜ ଦେଶର ପତାକା ନେଇ ପଡ଼ିଆରେ ଚାଲୁଥାନ୍ତି। ଏଥରର ସମାରୋହ ୩ ଘଣ୍ଟା ଯାଏଁ ଚାଲିବ ଖେଳାଳିମାନେ ଡଙ୍ଗାରେ ବସିବେ।
ଭାରତରେ ପ୍ୟାରିସ ଅଲିମ୍ପିକ୍ସ ଉଦଘାଟନୀ ସମାରୋହ ସ୍ପୋର୍ଟସ୧୮ ମାଧ୍ୟମରେ ଲାଇଭ୍ ପ୍ରସାରଣ କରାଯିବ। ଏହା ବ୍ୟତୀତ ଉଦ୍ଘାଟନୀ ସମାରୋହର ଲାଇଭ୍ ଷ୍ଟ୍ରମିଂ ଜିଓ ସିନେମାରେ ପ୍ରସାରିତ ହେବ। ଏହାକୁ ମାଗଣାରେ ଦେଖିହେବ। ଭାରତ ଜୁଲାଇ ୨୫ରୁ ନିଜର କ୍ରୀଡ଼ା ଅଭିଯାନ ଆରମ୍ଭ କରିସାରିଛି। ଭାରତ ତୀରନ୍ଦାଜୀ ସହିତ ନିଜର ଅଭିଯାନ ଆରମ୍ଭ କରିଛି।