ବାରାଣସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସଂସଦୀୟ କ୍ଷେତ୍ର କାଶୀକୁ ଆଜି ଆସୁଛନ୍ତି। ଏହି ଅବସରରେ ସେ ବାରାଣସୀ ସମେତ ସମଗ୍ର ଦେଶରେ ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା, ଧର୍ମ, ପର୍ଯ୍ୟଟନ, ଗୃହ ନିର୍ମାଣ, ବିମାନ ଚଳାଚଳ କ୍ଷେତ୍ରରେ ୬୬୧୧.୧୮ କୋଟି ଟଙ୍କାର ୨୩ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ବାରାଣସୀ ବିମାନବନ୍ଦରର ସମ୍ପ୍ରସାରଣ ଏବଂ ନୂତନ ଟର୍ମିନାଲ ବିଲ୍ଡିଂର ଶିଳାନ୍ୟାସ କରିବେ। ଆରଜେ ଶଙ୍କରା ଚକ୍ଷୁ ଚିକିତ୍ସାଳୟକୁ ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ସେ ସିଗ୍ରା ସ୍ପୋର୍ଟସ ଷ୍ଟାଡିୟମରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ।
ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ ଏବଂ ପ୍ରଥମେ ରିଙ୍ଗରୋଡ୍ ସ୍ଥିତ ହରିହରପୁରଠାରେ ନବନିର୍ମିତ ଆରଜେ ଶଙ୍କରା ଚକ୍ଷୁ ଚିକିତ୍ସାଳୟ ପରିଦର୍ଶନ କରିବେ। କାଞ୍ଚି ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ବିଜୟେନ୍ଦ୍ର ସରସ୍ୱତୀଙ୍କ ଉପସ୍ଥିତିରେ ୯୦ କୋଟି ଟଙ୍କାର ଏକ ହସ୍ପିଟାଲ ଲୋକାର୍ପଣ ପରେ ସେ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା କରିବେ। ଅପରାହ୍ନ ୩ଟାରେ ସଡ଼କ ପଥରେ ସିଗ୍ରା ଷ୍ଟାଡିୟମ ଅଭିମୁଖେ ଯାତ୍ରା କରିବେ।
ପାଖାପାଖି ୨ ଘଣ୍ଟାର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବାରାଣସୀ ସମେତ ଦେଶ ସହ ଜଡିତ ୨୩ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ସିଗ୍ରା ଷ୍ଟାଡିୟମର ପୁନଃନିର୍ମାଣ ସମେତ ୩୮୦.୧୩ କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ହୋଇଥିବା ୧୪ଟି ପ୍ରକଳ୍ପ ବାରାଣସୀବାସୀଙ୍କୁ ହସ୍ତାନ୍ତର କରାଯିବ। ବାରାଣସୀ ବିମାନବନ୍ଦରରେ ନୂତନ ଟର୍ମିନାଲ ବିଲ୍ଡିଂ ସମେତ ଆରାଜିଲିନରେ କସ୍ତୁରବା ଗାନ୍ଧୀ ବିଦ୍ୟାଳୟ, ଏକାଡେମିକ ବ୍ଲକ ଏବଂ ବାଳିକା ଛାତ୍ରାବାସ ନିର୍ମାଣ ପାଇଁ ସେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।
ଶ୍ରୀକାକୁଲମୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟ କାଉନସିଲ ତରଫରୁ ସଂସ୍କୃତ ବିଦ୍ୟାଳୟର ପିଲା ଓ ହସ୍ପିଟାଲରେ ଆଟେଣ୍ଡାଣ୍ଟମାନଙ୍କୁ ମାଗଣା ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ଷ୍ଟାଡିୟମରେ ୪ ହଜାରରୁ ଅଧିକ ଖେଳାଳିଙ୍କ ସମେତ ପ୍ରାୟ ୨୪,୦୦୦ କାଶୀ ବାସିନ୍ଦାଙ୍କୁ ସମ୍ବୋଧିତ କରିବେ ଏବଂ ସନ୍ଧ୍ୟା ୬ଟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।
ଅଧିକ ପଢ଼ନ୍ତୁ: ପ୍ରିୟଙ୍କାଙ୍କ ବିରୋଧରେ ନଭ୍ୟାଙ୍କୁ ପ୍ରାର୍ଥୀ କଲା ବିଜେପି