ଭଦୋଦରା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଦୁଇଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆଜି ପୂର୍ବାହ୍ଣରେ ଭଦୋଦରାରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିଲା ପରେ ସେ ଏକ ମେଗା ରାଲିର ଆୟୋଜନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବାରେ ଶହଶହ ଲୋକ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ନିଜର ପ୍ରଶଂସକଙ୍କୁ ନିରାଶ କରି ନଥିଲେ। ବରଂ ସେ ହାତ ହଲାଇ ଅଭିବାଦନ ଜଣାଇ ଥିଲେ। ‘ଅପରେସନ ସିନ୍ଦୂର’ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନିଜ ଗୃହ ରାଜ୍ୟ ଗସ୍ତ କରିଥିବାରୁ ସ୍ଥାନୀୟ ଲୋକେ ଅଧିକ ଉତ୍ସାହିତ ଦେଖାଯାଇଛନ୍ତି।
ଏକ ସ୍ୱତନ୍ତ୍ର 'ସିନ୍ଦୁର ସମ୍ମାନ ଯାତ୍ରା'ରେ ପ୍ରଧାନମନ୍ତ୍ରୀଙ୍କୁ ୨୫,୦୦୦ରୁ ଅଧିକ ମହିଳା ଉଲ୍ଲସିତ ସ୍ୱାଗତ କରିଥିଲେ ଏବଂ ତାଙ୍କ ଉପରେ ଫୁଲ ବର୍ଷା କରିଥିଲେ। ଭାରତୀୟ ସଶସ୍ତ୍ର ବାହିନୀ ଏବଂ ଅପରେସନ ସିନ୍ଦୂରକୁ ସମ୍ମାନ ଜଣାଇ ବିଭିନ୍ନ ସାଂସ୍କୃତିକ ପ୍ରଦର୍ଶନ କରାଯାଉଥିବା ବେଳେ ଦାଉଦୀ ବୋହରା ସମ୍ପ୍ରଦାୟ ମଧ୍ୟ ଉତ୍ସାହର ସହିତ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ସୋମବାରଠାରୁ ତାଙ୍କ ଗୃହରାଜ୍ୟକୁ ଦୁଇଦିନିଆ ଗସ୍ତରେ ଅଛନ୍ତି। ଏହି ଅବସରରେ ସେ ଗୁଜରାଟରେ ୭୭,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବେ। ସେ ଦାହୋଦରେ ଲୋକୋମୋଟିଭ୍ ନିର୍ମାଣ କାରଖାନାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ଏବଂ ଏକ ବୈଦ୍ୟୁତିକ ଲୋକୋମୋଟିଭ୍ ମଧ୍ୟ ଶୁଭାରମ୍ଭ କରିବେ। ଏତଦ୍ ବ୍ୟତୀତ ସେ ପ୍ରାୟ ୨୪,୦୦ କୋଟି ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ସୋମବାର ସନ୍ଧ୍ୟାରେ ମୋଦୀ ଭୁଜରେ ୫୩,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ଏକ ସାଧାରଣ କାର୍ଯ୍ୟକ୍ରମକୁ ମଧ୍ୟ ସମ୍ବୋଧିତ କରିବେ। ମେ ୨୭ ତାରିଖରେ ଗୁଜରାଟ ସହରାଞ୍ଚଳ ବିକାଶର ୨୦ତମ ବାର୍ଷିକୀ ସମାରୋହରେ ଯୋଗଦେବେ ଏବଂ ସହରାଞ୍ଚଳ ବିକାଶ ବର୍ଷ ୨୦୨୫ ଆରମ୍ଭ କରିବେ।
ଅଧିକ ପଢ଼ନ୍ତୁ: ହାସନପୁର ନିର୍ବାଚନ ମଣ୍ଡଳୀରୁ କିଏ ହେବେ ଆରଜେଡି ପ୍ରାର୍ଥୀ?