ପାଟଣା: ଭାରତରେ ବୌଦ୍ଧଯୁଗର ଶିକ୍ଷା ପୁଣି ଥରେ ପ୍ରଚଳନ କରିବାକୁ ଲକ୍ଷ୍ୟ ରଖି ଐତିହାସିକ ନାଳନ୍ଦା ବିଶ୍ବବିଦ୍ୟାଳୟର ନୂଆ ପରିସର ଉଦ୍ଘାଟିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ବିହାରର ରାଜଗିରରେ ପ୍ରାଚୀନ ନାଳନ୍ଦା ବିଶ୍ବବିଦ୍ୟାଳୟ ନିକଟରେ ନାଳନ୍ଦା ବିଶ୍ବବିଦ୍ୟାଳୟର ନୂଆ ପରିସରକୁ ଉଦ୍ଘାଟନ କରିଛନ୍ତି।
ନାଳନ୍ଦା ବିଶ୍ବବିଦ୍ୟାଳୟର ନୂଆ ପରିସର ଉଦ୍ଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ପ୍ରାଚୀନ ନାଳନ୍ଦା ବିଶ୍ବବିଦ୍ୟାଳୟର ଐତିହ୍ୟ ସ୍ଥଳ ପରିଦର୍ଶନ କରିଥିଲେ। ନୂଆ ପରିସର ଉଦ୍ଘାଟନ ଅବସରରେ ବିଦେଶ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର, କେନ୍ଦ୍ରମନ୍ତ୍ରୀ ଜୀତନ ରାମ ମାଂଝୀ, ବିହାର ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା, ରାଜ୍ୟ ସରକାରଙ୍କ ସମବାୟ ମନ୍ତ୍ରୀ ଡ. ପ୍ରେମ କୁମାରଙ୍କ ସମେତ ୧୭ଟି ଦେଶର ରାଷ୍ଟ୍ରଦୂତ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ୨୦୧୬ରେ ନାଳନ୍ଦା ବିଶ୍ବବିଦ୍ୟାଳୟର ସ୍ମାରକୀକୁ ଐତିହ୍ୟସ୍ଥଳୀ ଭାବେ ଘୋଷଣା କରାଯାଇଥିଲା। ଏହା ପରେ ବିଶ୍ବବିଦ୍ୟାଳୟର ନୂଆ ପରିସର ନିର୍ମାଣ ପାଇଁ ଚିନ୍ତା କରାଯାଇଥିଲା। ପୁରୁଣା ପରିସର ନିକଟରେ ନୂଆ ପରିସର ନିର୍ମାଣ କରାଯାଇଛି।
ନାଳନ୍ଦା ବିଶ୍ବବିଦ୍ୟାଳୟ ଜରିଆରେ ବୌଦ୍ଧ ଧର୍ମକୁ ଗରୁତ୍ବ ଦେଉଥିବା ଦେଶ ଯଥା ଶ୍ରୀଲଙ୍କା, ଥାଇଲାଣ୍ଡ, ଦକ୍ଷିଣ କୋରିଆ, ଭିଏତ୍ନାମ, ଲାଓସ, କମ୍ବୋଡିଆ ପ୍ରତି ଭାରତର ସଦ୍ଭାବ ଜାରି ରିଖିବାକୁ ଉଦ୍ୟମ କରାଯିବ, ଯାହାକି ପ୍ରାଚୀନ ନାଳନ୍ଦା ବିଶ୍ବବିଦ୍ୟାଳୟରେ ଥିଲା।
ଭାରତ ଓ ପୂର୍ବ ଏସିଆ ଶିଖର ସମ୍ମିଳନୀ (ଇଏଏସ୍) ଦେଶମାନଙ୍କର ମିଳିତ ସହଯୋଗରେ ଏହି ବିଶ୍ୱବିଦ୍ୟାଳୟ ପରିକଳ୍ପନା କରାଯାଇଛି। ଉଦଘାଟନୀ ଉତ୍ସବରେ ୧୭ଟି ଦେଶର ମିଶନ ମୁଖ୍ୟଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଛନ୍ତି। କ୍ୟାମ୍ପସରେ ଦୁଇଟି ଶିକ୍ଷା ବ୍ଲକ ରହିଛି ଯେଉଁଥିରେ ୪୦ଟି ଶ୍ରେଣୀଗୃହ ରହିଛି ଯେଉଁଥିରେ ମୋଟ ୧୯୦୦ ଛାତ୍ରଛାତ୍ରୀ ବସିବାର କ୍ଷମତା ରହିଛି । ଏଥିରେ ୩୦୦ ଆସନ ବିଶିଷ୍ଟ ଦୁଇଟି ଅଡିଟୋରିୟମ୍ ରହିଛି। ଏଠାରେ ଏକ ଛାତ୍ର ହଷ୍ଟେଲ ରହିଛି ଯେଉଁଥିରେ ପାଖାପାଖି ୫୫୦ ଛାତ୍ରଛାତ୍ରୀ ରହିପାରିବେ। ଏଥିରେ ଇଣ୍ଟରନେସନାଲ ସେଣ୍ଟର, ଆମ୍ଫିଥିଏଟର ସମେତ ଅନ୍ୟାନ୍ୟ ସୁବିଧା ରହିଛି ଯେଉଁଥିରେ ୨୦୦୦ ବ୍ୟକ୍ତି ରହିପାରିବେ। ଏଠାରେ ଫେକଲ୍ଟି କ୍ଲବ୍ ଓ ସ୍ପୋର୍ଟସ କମ୍ପ୍ଲେକ୍ସ ଆଦି ରହିଛି।
ଏହି କ୍ୟାମ୍ପସ ହେଉଛି ଏକ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗତ କରୁଥିବା ଏକ ସବୁଜ କ୍ୟାମ୍ପସ୍। ଏହା ସୌର ପ୍ଲାଣ୍ଟ, ଘରୋଇ ଓ ପାନୀୟ ଜଳ ବିଶୋଧନ ପ୍ଲାଣ୍ଟ, ବର୍ଜ୍ୟ ଜଳର ପୁନଃବ୍ୟବହାର ପାଇଁ ଜଳ ପୁନଃବ୍ୟବହାର ପ୍ଲାଣ୍ଟ, ୧୦୦ ଏକର ଜଳାଶୟ ଏବଂ ଅନ୍ୟାନ୍ୟ ପରିବେଶ ଅନୁକୂଳ ସୁବିଧା ସହିତ ଆତ୍ମନିର୍ଭରଶୀଳ ହୋଇଛି।
ନାଳନ୍ଦା ବିଶ୍ୱବିଦ୍ୟାଳୟର ଇତିହାସ ସହ ଗଭୀର ସମ୍ପର୍କ ରହିଛି । ପ୍ରାୟ ୧୬୦୦ ବର୍ଷ ପୂର୍ବେ ସ୍ଥାପିତ ମୂଳ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ବିଶ୍ୱର ପ୍ରଥମ ଆବାସିକ ବିଶ୍ୱବିଦ୍ୟାଳୟ ଭାବେ ବିବେଚନା କରାଯାଏ। ୨୦୧୬ରେ ନାଳନ୍ଦାର ଭଗ୍ନାବଶେଷକୁ ଜାତିସଂଘର ଐତିହ୍ୟ ସ୍ଥଳ ଭାବେ ଘୋଷଣା କରାଯାଇଥିଲା।