ନୂଆଦିଲ୍ଲୀ/ମହାରାଷ୍ଟ୍ର, ଜୁନ୍ ୨୪ (ଖବର ଓଡ଼ିଶା): ମହାରାଷ୍ଟ୍ରରେ ଦେଖାଯାଇଥିବା ରାଜନୈତିକ ସଂଘର୍ଷ ଭିତରେ ଗୁରୁବାର ରାତି ବଡ଼ ଘଟଣାକ୍ରମ ଦେଖାଯାଇଛି । ଗୁଆହାଟୀରେ ଉପସ୍ଥିତ ଥିବା ଶିବସେନାର ବିଦ୍ରୋହୀ ବିଧାୟକମାନେ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ବୈଠକରେ ଏକନାଥ ଶିନ୍ଦେଙ୍କୁ ନେତା କରାଯାଇଛି । ଏଥି ସହିତ ଭରତ ଗୋଗାୱାଲେଙ୍କୁ ମୁଖ୍ୟ ସଚେତକ ନିଯୁକ୍ତ କରିଛନ୍ତି । ଏହା ପରେ ଉପବାଚସ୍ପତି ନରହରି ଜିରୱାଲ, ବିଧାୟୀ ସଚିବ ଓ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ପତ୍ର ପଠାଯାଇଛି । ଏହି ପ୍ରତରେ ଶିବସେନାର ୩୭ ବିଧାୟକ ଦସ୍ତଖତ କରିଛନ୍ତି । ବିଦ୍ରୋହୀ ବିଧାୟକମାନଙ୍କ ଏହା ଥିଲା ଦ୍ୱିତୀୟ ବୈଠକ । ଏହା ପୂର୍ବରୁ ହୋଇଥିବା ବୈଠକରେ ଜାରି କରାଯାଇଥିବା ପତ୍ରରେ ୩୦ ଜଣ ବିଧାୟକ ଦସ୍ତଖତ କରିଥିଲେ ।
ଗୁରୁବାର ମଧ୍ୟ ମହରାଷ୍ଟ୍ରର ରାଜନୈତିକ ଡ୍ରାମା ଜାରି ଥିଲା । ଦିନ ତମାମ ଶ୍ଲୋଗାନ ଓ ବୈଠକ ଚାଲିଲା । ଶିବସେନା ନେତା ସଂଜୟ ରାଉତ ମଧ୍ୟ ବୟନବାଜୀ କରିଥିଲେ । ଶିବସେନା, ଏନସିପି ଓ କଂଗ୍ରେସ ବ୍ୟତୀତ ବିଦ୍ରୋହୀ ବିଧାୟକଙ୍କ ନେତୃତ୍ୱ କରୁଥିବା ଏକନାଥ ଶିନ୍ଦେଙ୍କ ବୟାନ ମଧ୍ୟ ଆସିଥିଲା । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶିବସେନାର ବିଭାଗ ପ୍ରମୁଖଙ୍କ ସହିତ ବୈଠକ କରିଥିଲେ ଏବଂ ଶୁକ୍ରବାର ଜିଲ୍ଲା ପ୍ରମୁଖଙ୍କ ସହିତ ବୈଠକ ଡାକିଛନ୍ତି ।
ଶିବସେନାର ବୈଠକରେ ଉପସ୍ଥିତ ଥିବା ୧୨ ଜଣ ବିଧାୟକଙ୍କ ସଦସ୍ୟତା ରଦ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ପାର୍ଟି ସାଂସଦ ଅରବିନ୍ଦ ସାୱନ୍ତ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିବାସ ବର୍ଷା ବଙ୍ଗଳାରେ ଶିବସେନା ବିଧାୟକଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥି ପାଇଁ ହୁଇପ ଜାରି କରାଯାଇଥିଲା । ଏହା ପରେ ମଧ୍ୟ କିଛି ବିଧାୟକ ଅନୁପସ୍ଥିତ ଥିଲେ । ଏହି ନୋଟିସକୁ କିଛି ବିଧାୟକ ଜବାବ ଦେଇଥିଲେ । ସେମାନଙ୍କର ଜବାବ ମିଛ ଭଳି ଲାଗୁଥିଲା । ଏଥି ପାଇଁ ଦଳ ତାଙ୍କର ସଦସ୍ୟତା ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଆମେ ବିଧାନସଭା ଉପବାଚସ୍ପତିଙ୍କୁ ପିଟିସନ ଦାଖଲ କରିଛି ।