ବାରାଣସୀ, ମେ ୧୪ (ଖବର ଓଡ଼ିଶା): ଆଜିଠାରୁ ପୁଣି ଥରେ ଜ୍ଞାନବାପୀ ମସ୍ଜିଦ୍ର ସର୍ଭେ ଆରମ୍ଭ ହେବ । ଏଥି ପାଇଁ ହିନ୍ଦୁ ଓ ମୁସ୍ଲିମ୍ ପକ୍ଷଙ୍କୁ ଶାନ୍ତିପାଇଁ ଅପିଲ କରାଯାଇଛି । ସର୍ଭେ ପୂର୍ବରୁ ଶାନ୍ତି ପ୍ରତିଷ୍ଠା ପାଇଁ ବ୍ୟାପକ ପରିମାଣରେ ପୋଲିସ ମୁତୟନ କରାଯାଇଛି । ମସ୍ଜିଦ୍ ଠାରୁ ୫୦୦ ମିଟର ପରିଧି ଭିତରେ ସାଧାରଣ ଜନତାଙ୍କ ଯାତାୟତ ଉପରେ କଟକଣା ଲାଗୁ କରିଦିଆଯାଇଛି ।
ଜ୍ଞାନବାପୀ ମସ୍ଜିଦରେ ସର୍ଭେ ଓ ଭିଡିଓଗ୍ରାଫି ଉପରେ ରୋକ ଲଗାଇବାରୁ ସୁପ୍ରିମକୋର୍ଟ ମନା କରିବା ପରେ ବାରାଣସୀରେ ପ୍ରସ୍ତୁତ ଆରମ୍ଭ ହୋଇଯାଇଛି । ସିଭିଲ ଜଜ (ସିନିୟର ଡିଭିଜନ) ଅଦାଲତ ଅନୁସାରେ ଆଜି ପୁଣି ଥରେ ସର୍ଭେ ହେଉଛି । କୋର୍ଟ କମିସନର ଅଜୟ କୁମାର ମିଶ୍ର, ସ୍ୱତନ୍ତ୍ର କମିସନର ବିଶାଳ ସିଂହ ଡିଏମ୍ ଓ ପୋଲିସ କମିସନରଙ୍କୁ ପତ୍ର ପଠାଇ ଏହି ସୂଚନା ଦେଇଛନ୍ତି । ସକାଳ ୮ଟାରୁ ସର୍ଭେ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ପର୍ଯ୍ୟନ୍ତ ଜାରି ରହିବ । ସର୍ଭେ ପୂରା ହେବା ପର୍ଯ୍ୟନ୍ତ ଜାରି ରହିବ । ସର୍ଭେ ରିପୋର୍ଟ ମେ’ ୨୭ରେ ଅଦାଲତରେ ଦାଖଲ କରାଯିବ ।
ବାରାଣସୀର ଜ୍ଞାନବାପୀ ଶୃଙ୍ଗାର ଗୌରୀ ପରିସରର ସର୍ଭେର ନିଷ୍ପତ୍ତି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ହୋଇଥିଲା । କିନ୍ତୁ ପ୍ରଧାନ ବିଚାରପତି ଏନ୍ଭି ରମଣଙ୍କ ଖଣ୍ଡପୀଠ ଏହାରି ଉପରେ ଯଥାସ୍ଥିତି ଉପର ନଜର ରଖିଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ, ଏବାବଦରେ ଆମକୁ କିଛି ସୂଚନା ମିଳି ନାହିଁ । ପ୍ରଥମେ ଆମକୁ ପେପର ଦେଖିବାକୁ ସୁଯୋଗ ଦିଆଯାଉ । ଫାଇଲ ପଢ଼ିବାକୁ ଦିଆଯାଉ । କେସ ଉପରେ ବିଚାର କରିବାକୁ ଦିଆଯାଉ ।