ଭୁବନେଶ୍ବର: ଝିଅକୁ ସ୍କୁଟିରେ ବସାଇ କୌଣସି କାମରେ ଯାଉଥିବା ବେଳେ ମା’ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦ୍ରୁତଗାମୀ ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ ସ୍କୁଟି ଆରୋହୀ ମା’-ଝିଅଙ୍କ ଉପରେ ଚଢ଼ି ଯାଇଛି। ଏହି ଦୁର୍ଘଟଣାରେ ମା’ ଏବଂ ଝିଅଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସୁନୀତା ନାଗ ଏବଂ ତାଙ୍କର ଝିଅ।
ପୋଲିସର ସୂଚନା ଅନୁସାରେ ବଲାଙ୍ଗୀର ଟାଉନ ଥାନା ଅଧୀନ ଗାନ୍ଧୀନଗରପଡ଼ାରେ ଆଜି ସକାଳୁ ଏକ ଦୁର୍ଘଟଣା ଘଟିଛି। ସ୍କୁଟିରେ ଯାଉଥିବା ସୁନୀତା ନାଗ ଏବଂ ତାଙ୍କର ଝିଅ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଖସିପଡ଼ିଥିଲେ। ସେମାନେ ରାସ୍ତା ଉପରେ ଖସିପଡ଼ିବାର କାରଣ ଥିଲା ପୋଖରୀର ପଙ୍କ। ଜାତୀୟ ରାଜପଥ ଉପରେ ପୋଖରୀର ପଙ୍କ ପଡ଼ିଥିବାରୁ ସ୍କୁଟିର ଚକା ସ୍ଲିପ ହୋଇ ଖସି ଯାଇଥିଲା। ଏହି ସମୟରେ ପଛପଟରୁ ଆସୁଥିବା ଟ୍ରକ୍ ସେମାନଙ୍କର ଉପରେ ଚଢ଼ି ଯାଇଥିଲା। ଟ୍ରକର ଚାଳକ ଗାଡ଼ି ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ।
ଦୁର୍ଘଟଣାର ସାମ୍ନା କରିବା ପରେ ସ୍ଥାନୀୟ ଲୋକଙ୍କର ସୂଚନା ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ମା’ ଏବଂ ଝିଅଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ୨ଟି ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ତେବେ ଏହି ଅଭାବନୀୟ ଘଟଣା ପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବୁଦ୍ଧିଜୀବୀ ମହଲରେ ଅଘଟଣ ଲାଗି ଚର୍ଚ୍ଚା ହେଉଛି।
ଅଧିକ ପଢ଼ନ୍ତୁ: ପ୍ରଦର୍ଶନକାରୀଙ୍କ ଉପରେ ଗୁଳିମାଡ଼; ୧୧ ଜଣଙ୍କର ମୃତ୍ୟୁ