ନୂଆଦିଲ୍ଲୀ: ବିଗତ କିଛି ଦିନ ହେଲା ବାଂଲାଦେଶରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଶେଖ୍ ହସିନା ଦେଶ ଛାଡ଼ି ପଳାୟନ କରିବା ପରେ ହିନ୍ଦୁ ବାଂଲାଦେଶୀମାନଙ୍କ ଉପରେ ନିର୍ଯ୍ୟାତନା ଦେବା ଆରମ୍ଭ ହୋଇଯାଇଛି। ପଶ୍ଚିମବଙ୍ଗର ଜଳପାଇଗୁଡ଼ିରେ ଭାରତ-ବାଂଲାଦେଶ ସୀମାରେ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ବ ବାଂଲାଦେଶୀ ହିନ୍ଦୁ ପହଞ୍ଚିଛନ୍ତି। ସେମାନେ ସୀମା ଅତିକ୍ରମ କରି ଭାରତ ଆସିବାକୁ ଚାହୁଁଛନ୍ତି। ଭାରତରେ ତାଙ୍କର ଅନୁପ୍ରବେଶକୁ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ଅଟକାଇଛି। ବିଏସ୍ଏଫ୍ ସେମାନଙ୍କୁ ସତକୁରା ସୀମାରେ ଅଟକାଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ଏହି ଘଟଣା ଜଳପାଇଗୁଡ଼ି ଜିଲ୍ଲାର ଦକ୍ଷିଣ ବେରୁବାରୀ ପଞ୍ଚାୟତରେ ଦେଖିବାକୁ ମିଳିଛି।
ରିପୋର୍ଟ ଅନୁସାରେ ବୁଧବାର ଅପରାହ୍ଣରେ ୧ ହଜାରରୁ ଅଧିକ ବାଂଲାଦେଶୀ ନାଗରିକ, ଯେଉଁଥିରେ ଅଧିକାଂଶ ହିନ୍ଦୁ ସାମିଲ ଅଛନ୍ତି, ଭାରତୀୟ ସୀମା ଅତିକ୍ରମ କରିବାକୁ ଉଦ୍ୟମ କରୁଥିଲେ। ସୂଚନା ପାଇ ବିଏସ୍ଏଫ୍ର ଯବାନମାନେ ଏଠାରେ ପହଞ୍ଚି ସେମାନଙ୍କୁ ଅଟକାଇଥିଲେ। କୁହାଯାଉଛି ଯେ, ବାଂଲାଦେଶୀ ନାଗରିକମାନେ ଭାରତରେ ରହିବାକୁ ବ୍ୟାକୁଳ ହୋଇ ଉଠିଛନ୍ତି।
ସୀମାରେ ଉପସ୍ଥିତ ହିନ୍ଦୁ ବାଂଲାଦେଶୀଙ୍କ ଅଭିଯୋଗ ଯେ, ତାଙ୍କର ଘର ଓ ମନ୍ଦିରରେ ନିଆଁ ଲଗାଇ ଦିଆଯାଇଛି। ସେମାନେ ଭାରତରେ ଶରଣ ନେବାକୁ ଚାହାନ୍ତି। ଏହି ହିଂସାକୁ ନେଇ ସେମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ମାତ୍ର ବିଏସଏଫ୍ ବାଂଲାଦେଶୀ ହିନ୍ଦୁମାନଙ୍କୁ ବୁଝାଇବାକୁ ଉଦ୍ୟମ କରିଛି। ବାଂଲାଦେଶୀ ନାଗରିକମାନେ ଏବେବି ସୀମାରେ ଅଟକ ଥିବା କୁହାଯାଉଛି।
ସୂଚନାଯୋଗ୍ୟ, ବାଂଲାଦେଶରେ ହିଂସା ନେଇ ଭାରତର ସୀମାରେ ବିଏସ୍ଏଫ୍ ସତର୍କ ରହିଛି। ବାଂଲାଦେଶର ସୀମାରେ ରହୁଥିବା ହିନ୍ଦୁମାନେ ଭାରତରେ ପ୍ରବେଶ କରିପାରନ୍ତି। ଅଗଷ୍ଟ ୭ ତାରିଖ ଦିନ ବାଂଲାଦେଶୀ ନାଗରିକମାନେ ପ୍ରବେଶ ପାଇଁ ଉଦ୍ୟମ କରିବା ପରେ ବିଏସ୍ଏଫ୍ର ଯବାନମାନେ ସତର୍କ ହୋଇଯାଇଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଦିଆଯାଇଛି। ଗୋଟିଏ ସେକ୍ଟରରେ ବିଏସ୍ଏଫ୍, ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ପାଖାପାଖି ୩୫ ନାଗରିକଙ୍କୁ ବୁଝାଇ ଫେରାଇ ଦେଇଛି। ସମସ୍ତେ ସୀମାରେ ଏକତ୍ର ହୋଇଯାଇଥିଲେ। ଅନ୍ୟ ଏକ ସେକ୍ଟରରେ ବାଂଲାଦେଶର ନାଗରିକମାନେ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ଭାରତ ଆସିବାକୁ ଉଦ୍ୟମ କରିଥିଲେ। ଏହା ମଧ୍ୟ ବିଫଳ ହୋଇଥିଲା।