ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଭାରତୀୟ ଦଳକୁ କିଛି ଖରାପ ଖବର ମିଳିଛି। ଦଳର ମୁଖ୍ୟ ଦ୍ରୁତ ବୋଲର ଜସପ୍ରିତ ବୁମରା ଗସ୍ତରୁ ବାଦ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଜମ୍ମୁ କଶ୍ମୀରର ଆକିବ ନବିଙ୍କୁ ଚୟନ କରାଯାଇଛି। ବିସିସିଆଇ ସୋମବାର ଏକ ବିବୃତ୍ତି ଜାରି କରି ଏହା ଘୋଷଣା କରିଛି।
ବୁମରା ଇଂଲଣ୍ଡରେ ଦିନିକିଆ ସିରିଜ ସମୟରେ ଆଘାତ ପାଇଥିଲେ ଏବଂ ପରବର୍ତ୍ତୀ ସମୟରେ ବେଙ୍ଗାଲୁରୁର ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସକୁ ଯାଇଥିଲେ। ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି ଏବଂ ତାଙ୍କୁ ବାହାର କରାଯାଇଛି। ବିସିସିଆଇ ଏହାର ବିବୃତ୍ତିରେ ଲେଖିଛନ୍ତି, ଜସପ୍ରିତ ବୁମରାହ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ହୋଇଥିବା ବାମ ଆଣ୍ଠୁ ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି ଏବଂ ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ବାହାର କରାଯାଇଛି। ନବିଙ୍କ ନାମ ଘୋଷଣା କରି ବିସିସିଆଇ ଲେଖିଛନ୍ତି, ପୁରୁଷ ଚୟନ କମିଟି ବୁମରାହଙ୍କ ବଦଳ ଭାବରେ ଆକିବ ନବିଙ୍କୁ ଚୟନ କରିଛି। ଏହା ପ୍ରଥମ ଥର ପାଇଁ ଜମ୍ମୁ ଏବଂ କାଶ୍ମୀର ବୋଲରଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି।
ଭାରତ ଶ୍ରୀଲଙ୍କା ଗସ୍ତରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ପ୍ରଥମ ମ୍ୟାଚ୍ ୧୫ରୁ ୧୯ ଅଗଷ୍ଟ ପର୍ଯ୍ୟନ୍ତ ଗାଲେରେ ଖେଳାଯିବ। ଦ୍ୱିତୀୟ ଟେଷ୍ଟ ୨୩ରୁ ୨୭ ଅଗଷ୍ଟ ପର୍ଯ୍ୟନ୍ତ କଲମ୍ବୋରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଟିମ୍ ଇଣ୍ଡିଆ ୭ରୁ ୯ ଅଗଷ୍ଟ ପର୍ଯ୍ୟନ୍ତ ତିନି ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳିବ। ଟିମ୍ ଇଣ୍ଡିଆ ୪ ତାରିଖରେ ଶ୍ରୀଲଙ୍କା ଅଭିମୁଖେ ଯାତ୍ରା କରିବ।
ନବି ଜମ୍ମୁ କଶ୍ମୀରର ୨୦୨୫-୨୬ ରଣଜୀ ଟ୍ରଫି ଟାଇଟଲରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ସେହି ସିଜନରେ ମୋଟ ୬୦ ୱିକେଟ୍ ନେଇଥିଲେ। ସେ ସମ୍ପ୍ରତି ଶ୍ରୀଲଙ୍କା ଗସ୍ତ କରିଥିବା ଭାରତ ଏ ଦଳର ମଧ୍ୟ ଅଂଶ ଥିଲେ। ଦୀର୍ଘ ସମୟ ଧରି ତାଙ୍କର ଚୟନ ନ ହେବା ନେଇ ପ୍ରଶ୍ନ ଉଠିଥିଲା।
ଅଧିକ ପଢ଼ନ୍ତୁ: ଭାରତ ଗସ୍ତ ପାଇଁ ଅଷ୍ଟ୍ରେଲିଆର ଦଳ, ୧୬ ଜଣ ଖେଳାଳିଙ୍କୁ ସୁଯୋଗ