କଶ୍ମୀର: ଜମ୍ମୁ-କଶ୍ମୀରର କାରଗିଲରେ ଆଜି ସକାଳ ୭ଟାରେ ୨୨ରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ସକାଳୁ ସକାଳୁ ଭୂମିକମ୍ପ ଅନୁଭୂତ କାରଣରୁ ଲୋକେ ଭୟଭୀତ ହୋଇଛନ୍ତି । ଘର ଭିତରୁ ବାହାରି ଏଣେତେଣେ ଦୌଡ଼ି ପଳାୟନ କରିଛନ୍ତି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ରିକ୍ଟର ସ୍କେଲରେ ୪.୩ର ତୀବ୍ରତା ଆକଳନ କରାଯାଇଛି । ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ରହିଛି ।
ସୂଚନାଯୋଗ୍ୟ, ବିଗତ କିଛି ଦିନ ହେଲା ଜମ୍ମୁ-କଶ୍ମୀରରେ ବାରମ୍ବାର ଭୂମିକମ୍ପ ପରିଲକ୍ଷିତ ହେଉଛି । ଗତ ୧ ତାରିଖରେ ଜମ୍ମୁ କଶ୍ମୀରର କିସ୍ତୱାଡରେ ମଧ୍ୟରାତ୍ରିରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ସେହି ସମୟରେ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୪ ଆକଳନ କରାଯାଇଥିଲା । ଏନ୍ସିଏ ପକ୍ଷରୁ ଗଣମାଧ୍ୟମକୁ କୁହାଯାଇଛି ଯେ, ବୁଧବାର ରାତି ୧ଟା ୩୩ ମିନିଟରେ ଏହା ଅନୁଭୂତ ହୋଇଥିଲା । ମାତ୍ର ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇ ନଥିଲା ।
ସେହିପରି ଗତ ୧୯ ତାରିଖରେ ମଧ୍ୟ ଜମ୍ମୁ-କଶ୍ମୀରର କାରଗିଲ ଓ ଲଦ୍ଦାଖରେ ଭୂମକମ୍ପ ଅନୁଭୂତ ହୋଇଥିଲା । ସେହି ସମୟରେ ରିକ୍ଟର ସ୍କେଲରେ ତୀବ୍ରତା ୩.୦ ଥିଲା । ତେବେ ଜମ୍ମୁ-କଶ୍ମୀରରେ ବାରମ୍ବାର ଭୂମିକମ୍ପ ଅନୁଭୂତ ହେଉଥିବାରୁ ଲୋକେ ଭୟଭୀତ ହେଉଛନ୍ତି ।