ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ୱାକଫ୍ ସଂଶୋଧନ ଆଇନ ଉପରେ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ। ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା, ପିଭି ସଞ୍ଜୟ କୁମାର ଏବଂ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଆବେଦନଗୁଡ଼ିକର ଶୁଣାଣି କରିବେ। ୱାକଫ ସଂଶୋଧନ ଆଇନ-୨୦୨୫ର ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ୨୦ରୁ ଅଧିକ ଆବେଦନ ଦାଖଲ ହୋଇଛି। ଯଦିଓ କିଛି ଆବେଦନ ଆଇନକୁ ସମର୍ଥନ ମଧ୍ୟ କରେ ତଥାପି ଅଧିକାଂଶ ଆବେଦନ ଆଇନ ବିରୋଧୀ ଅଟେ। ଏପରି ଦୁଇଟି ଆବେଦନ ମଧ୍ୟ ଅଛି ଯେଉଁଥିରେ ମୌଳିକ ୱାକଫ୍ ଆଇନ, ୱାକଫ୍ ଆଇନ-୧୯୯୫କୁ ଚ୍ୟାଲେଞ୍ଜ କରାଯାଇଛି ଏବଂ ଏହାକୁ ବାତିଲ କରିବାକୁ ଦାବି କରାଯାଇଛି।
ୱାକଫ ସଂଶୋଧନ ଆଇନ-୨୦୨୫ ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ପାଇଁ ମଧ୍ୟ ଆବେଦନ କରାଯାଇଛି। କିନ୍ତୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ କ୍ୟାଭିଏଟ୍ ମଧ୍ୟ ଦାଖଲ କରିଛନ୍ତି ଯାହା ଦ୍ୱାରା ସୁପ୍ରିମକୋର୍ଟ ଏକପାଖିଆ ଶୁଣାଣି କରି କୌଣସି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ପାସ କରିବେ ନାହିଁ। କୌଣସି ନିର୍ଦ୍ଦେଶ ଦେବା ପୂର୍ବରୁ କୋର୍ଟ ତାଙ୍କ ପକ୍ଷ ମଧ୍ୟ ଶୁଣିବା ଉଚିତ।
ସୁପ୍ରିମକୋର୍ଟରେ ୱାକଫ ଆଇନର ବୈଧତାକୁ ଚ୍ୟାଲେଞ୍ଜ କରିଥିବା ଲୋକଙ୍କ ମଧ୍ୟରେ ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ୍ ମୁସଲିମିନ୍ ମୁଖ୍ୟ ଅସଦୁଦ୍ଦିନ୍ ଓୱେସି, କଂଗ୍ରେସ ସାଂସଦ ମହମ୍ମଦ ଜାଭେଦ, କଂଗ୍ରେସ ସାଂସଦ ଇମ୍ରାନ ପ୍ରତାପଗଡ଼ି, ଜମିୟତ ଉଲାମା-ଏ-ହିନ୍ଦ ସଭାପତି ଅର୍ଶଦ ମଦନି, ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ୍ ଲ’ ବୋର୍ଡ, ଆସୋସିଏସନ୍ ଫର ପ୍ରୋଟେକ୍ସନ୍ ଅଫ୍ ସିଭିଲ୍ ରାଇଟ୍ସ ଅନ୍ତର୍ଭୁକ୍ତ।
ଏହା ବ୍ୟତୀତ ଆରଜେଡି ସାଂସଦ ମନୋଜ ଝା, ଡିଏମକେ ସାଂସଦ ଏ. ରାଜା, ସମସ୍ତା କେରଳ ଜମିଆତୁଲ ଉଲାମା, ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ, ଇଣ୍ଡିଆନ୍ ମୁସଲିମ୍ ଲିଗ୍, ଅଞ୍ଜୁମ୍ କାଦରୀ, ତୈୟବ ଖାନ, ଏପିସିଆର୍ (ଆସୋସିଏସନ୍ ଫର୍ ପ୍ରୋଟେକ୍ସନ୍ ଅଫ୍ ସିଭିଲ୍ ରାଇଟ୍ସ), ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା, ଆମ ଆଦମୀ ପାର୍ଟି ନେତା ଅମାନତୁଲ୍ଲା ଖାନ ଏବଂ କଂଗ୍ରେସ ପାର୍ଟିର ଉପାଧ୍ୟକ୍ଷ ୱାକଫ୍ ସଂଶୋଧନ ଆଇନକୁ ବିରୋଧ କରି ଏହାକୁ ପ୍ରତ୍ୟାହାର କରିବାକୁ ଏକ ଆବେଦନ ଦାଖଲ କରିଛନ୍ତି।
ଅନ୍ୟପଟରେ ରାଜସ୍ଥାନ, ହରିୟାଣା, ମଧ୍ୟପ୍ରଦେଶ, ଆସାମ, ଉତ୍ତରାଖଣ୍ଡ, ମହାରାଷ୍ଟ୍ର ଏବଂ ଛତିଶଗଡ଼ର ସରକାର ସମର୍ଥନ କରିଛନ୍ତି। ସୁପ୍ରିମକୋର୍ଟରେ ଏହି ଆଇନ୍ ସପକ୍ଷରେ ହସ୍ତକ୍ଷେପ ପାଇଁ ଆବେଦନ ଦାଖଲ କରିଛନ୍ତି।
ଅଧିକ ପଢ଼ନ୍ତୁ: କଂଗ୍ରେସର ରାଜନୈତିକ ବ୍ୟାପାର କମିଟି ଗଠିତ